କାଉଡୋଳାରେ ସାର୍ବଜନୀନ ଦୁର୍ଗାପୂଜା: ବିଲ୍ୱବରଣ ଓ ଭବ୍ୟ କଳସଯାତ୍ରାରେ ଭକ୍ତିମୟ ପରିବେଶ
କାଉଡୋଳା, ୧୬/୧୦ ( ରିତେଶ କୁମାର ମୁଣ୍ଡ ) : ମା’ ଦଶଭୁଜା ଦୁର୍ଗାଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି କାଉଡୋଳା ଗ୍ରାମ। ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଗ୍ରାମରେ ବିଲ୍ୱବରଣ ଓ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନ ଗ୍ରାମରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। କଳସଯାତ୍ରା ସମୟରେ ଘଣ୍ଟଦଳ, ସଂକୀର୍ତ୍ତନର ହରିବୋଲ, ମହିଳାଙ୍କ ହୁଳହୁଳି ଏବଂ ଘଣ୍ଟ ଶଙ୍ଖନାଦରେ ଗ୍ରାମର ଗଳିକନ୍ଦି ପ୍ରକମ୍ପିତ ହୋଇଉଠିଥିଲା। ଏହି ଭବ୍ୟ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ମୁଣ୍ଡରେ ପବିତ୍ର କଳସ ଧାରଣ କରି ସାମିଲ ହୋଇଥିଲେ। ସମସ୍ତେ ମୁଟୁରା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶ୍ରଦ୍ଧା ଓ ଭକ୍ତିର ସହ ପୂଜା ମଣ୍ଡପକୁ ଆଣିଥିଲେ। ପାରମ୍ପରିକ ରୀତିନୀତି ଓ ଧାର୍ମିକ ବିଧିବିଧାନ ଅନୁଯାୟୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ ଦୁର୍ଗାଙ୍କ ଆଗମନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ଏହି ଧାର୍ମିକ ଉତ୍ସବ ଗ୍ରାମର ଏକତା, ସାମୂହିକ ସହଯୋଗ ଓ ଧାର୍ମିକ ପରମ୍ପରାର ପ୍ରତୀକ ଭାବେ ପରିଲକ୍ଷିତ ହୋଇଥିଲା। ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଭାବେ ବଂଶୀଧର ବେଶ୍ରା, ସମ୍ପାଦକ ବିପ୍ର ନାଏକ ଓ କୋଷଧ୍ୟକ୍ଷ ଭାବେ ଲକ୍ଷ୍ମୀ ସରାବୁ ଦାୟିତ୍ୱ ତୁଲାଉଥିବା ବେଳେ ପୂଜକ ଭାବେ ଉମାକାନ୍ତ ଦାସ ଓ ଯଦୁମଣି ପଣ୍ଡା, ବିଶ୍ୱରଞ୍ଜନ ଠାକୁର, ରଙ୍ଗା ଠାକୁର ଓ ଦିଲ୍ଲୀପ ମୁଣ୍ଡ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ସେହିପରି ପୂଜାକର୍ତ୍ତା ଭାବେ ଆଶୁତୋଷ ପୁରୋହିତ, ସୁଚିତ୍ରା ପୁରୋହିତ ରହିଛନ୍ତି l ମା’ ଦଶଭୁଜାଙ୍କ ପୂଜାକୁ ନେଇ କାଉଡୋଳା ଗ୍ରାମରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ପୂଜା କାର୍ଯ୍ୟ ଆଗକୁ ବଢ଼ୁଛି ଏବଂ ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି l