ମା’ଙ୍କ ଆଗମନକୁ ଅପେକ୍ଷା କରିଛି ବୈଜଳଗର୍ଡ, ୨୦ରେ ଭକ୍ତିରେ ଭିଜିବ ଅଞ୍ଚଳ,୧୫ ପଞ୍ଚାୟତର ଲୋକଙ୍କୁ ନେଇ ବୈଠକ, ଛତର ଯାତ୍ରାରେ ହେବ ଶହ ଶହ ଭକ୍ତଙ୍କ ସମାଗମ
ସିନାପାଲି, ୦୫/୧୦ ( ପରମେଶ୍ୱର ମେହେର ) : ମା’ଙ୍କ ଆଗମନକୁ ନେଇ ଚାରିଆଡ଼େ ଉତ୍ସାହ, ମନରେ ଭକ୍ତି ଓ ଅପେକ୍ଷାରେ ଅଞ୍ଚଳବାସୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ପଞ୍ଚାୟତ ଅନ୍ତର୍ଗତ ବୈଜଳଗର୍ଡ ସ୍ଥିତ ମା’ ସମଲେଶ୍ୱରୀଙ୍କ ପବିତ୍ର ପୀଠରେ ଚଳିତ ବର୍ଷର ଦଶହରା ପର୍ବକୁ ନେଇ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୁତି। ମା’ଙ୍କ ଦର୍ଶନ ପାଇଁ ଅପେକ୍ଷାରତ ଭକ୍ତଙ୍କ ମନରେ ଏବେଠାରୁ ଭକ୍ତି ଓ ଉତ୍ସାହର ଲହରୀ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଗତ ରବିବାର ୪ ଅକ୍ଟୋବର ୨୦୨୬ରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ଠାରେ ୧୫ଟି ପଞ୍ଚାୟତର ଲୋକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପୂଜାରୀ ଶ୍ରୀଯୁକ୍ତ ଡିଙ୍ଗର ଚିନ୍ଦାଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଆଗାମୀ ଦଶହରା ପର୍ବ ଓ ଛତର ଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପର୍ବର ସୁଚାରୁ ପରିଚାଳନା ପାଇଁ ଏକ ପରିଚାଳନା କମିଟି ମଧ୍ୟ ଗଠନ କରାଯାଇଛି। ଡିଙ୍ଗର ମାଝୀଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଶିରା ନରହରି, ନାରାୟଣ ସିଂ ବେହେରା, ଡମ୍ବରୁଧର ମାଝୀ, ଉଜ୍ୱଳ ହଂସ, ଡୋଳାମଣି ଘିଭେଲା, ତ୍ରିନାଥ ନାଗ, ନରହରି ଚିନ୍ଦା, କେଶବ ଚିନ୍ଦା, ଜୟପାଳ ନାଗ, ନକୁଳ ନିଆଲ, ଅଙ୍ଗଦ ପଟେଲ, ଭୁବନେ ମାଝୀ, ବୀରବଳ ଚିନ୍ଦା ଓ ଲୋକନାଥ ଚିନ୍ଦା ପ୍ରମୁଖ ସଭ୍ୟ ରହିଛନ୍ତି। ଆସନ୍ତା ୨୦ ତାରିଖ ବିଜୟା ଦଶମୀ ଦିନ ମା’ ସମଲେଶ୍ୱରୀଙ୍କ ଭବ୍ୟ ଛତର ଯାତ୍ରା ଅନୁଷ୍ଠିତ ହେବ। ଏହି ପବିତ୍ର ଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ୧୫ଟି ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଦଶହରା ଦିନ ମା’ଙ୍କ ଛତର ଯାତ୍ରା ବାହାରିବା ସମୟରେ ଭକ୍ତିରେ ମୁଖରିତ ହେବ ବୈଜଳଗର୍ଡ। ଢୋଲ, ନିଶାନ ଓ ଭକ୍ତଙ୍କ ଜୟଧ୍ୱନିରେ ପରିବେଶ ହୋଇଉଠିବ ଭକ୍ତିମୟ। ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସିବେ ଶ୍ରଦ୍ଧାଳୁ। ଆସ୍ଥା ଓ ପରମ୍ପରାର ଏହି ମହାମିଳନରେ ବୈଜଳଗର୍ଡ ପୀଠ ଦଶହରା ଦିନ ଏକ ଅଲଗା ଆଧ୍ୟାତ୍ମିକ ରୂପ ଧାରଣ କରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଅଞ୍ଚଳରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ—ଏହି ପ୍ରାର୍ଥନା ନେଇ ଭକ୍ତମାନେ ଅପେକ୍ଷା କରିଛନ୍ତି ମା’ଙ୍କ ପବିତ୍ର ଛତର ଯାତ୍ରାକୁ।