ସିନାପାଲିରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ ଅନ୍ୟା ଦାସ
ନୂଆପଡା, ୨୩/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇଏଏସ୍ ଅଧିକାରୀ ଅନ୍ୟା ଦାସ ପ୍ରଥମ ଥର ପାଇଁ ସିନାପାଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ସେ ସ୍ୱାସ୍ଥ୍ୟକେନ୍ଦ୍ର ଓ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରିବା ସହ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲାପାଳଙ୍କୁ ସ୍ଥାନୀୟ ଜନସାଧାରଣ, କ୍ରୀଡ଼ାପ୍ରେମୀ ଓ ଜନପ୍ରତିନିଧିମାନେ ସ୍ୱାଗତ କରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।
ଷ୍ଟାଡିୟମ ନିର୍ମାଣ ପାଇଁ ସ୍ମାରକପତ୍ର ପ୍ରଦାନ
ସିନାପାଲିରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ଦାବି ଦୀର୍ଘଦିନ ଧରି ଉଠିଆସୁଥିବା ବେଳେ ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବାରୁ ଅଞ୍ଚଳର କ୍ରୀଡ଼ାବିତ୍ ଓ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ରାଜ୍ୟର ବ୍ଲକ ମୁଖ୍ୟାଳୟଗୁଡ଼ିକରେ ଷ୍ଟାଡିୟମ ନିର୍ମାଣ ଯୋଜନା ଅନୁଯାୟୀ ସିନାପାଲିରେ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଇବାକୁ ଦାବି ହୋଇଛି।
ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ଅବସରରେ ସିନାପାଲିର ଯୁବସମାଜ, କ୍ରୀଡ଼ାପ୍ରେମୀ ଓ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଷ୍ଟାଡିୟମ ନିର୍ମାଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ, ଜମିର କିସମ ପରିବର୍ତ୍ତନ ଏବଂ ଆବଶ୍ୟକ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ଏହି ଷ୍ଟାଡିୟମ ନିର୍ମାଣ ହେଲେ ଅଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ମଞ୍ଚ ମିଳିବା ସହ ଯୁବପିଢ଼ିଙ୍କ କ୍ରୀଡ଼ା ବିକାଶରେ ସହାୟକ ହେବ ବୋଲି ଦାବି ଉପସ୍ଥାପନକାରୀମାନେ କହିଥିଲେ। ଜିଲ୍ଲାପାଳ ଏହି ଦାବିକୁ ଗୁରୁତ୍ୱର ସହ ବିଚାର କରି ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଓ ଆଧୁନିକ ଯନ୍ତ୍ରପାତି ଦାବି
ଗସ୍ତ ଅବସରରେ ଜିଲ୍ଲାପାଳ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ପରିଦର୍ଶନ କରି ଚିକିତ୍ସାସେବାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସିନାପାଲି ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ।
ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ, ଅଲଟ୍ରାସାଉଣ୍ଡ ଓ ଡିଜିଟାଲ୍ ଏକ୍ସ-ରେ ସୁବିଧା ନଥିବା, ଫିଜିଓଥେରାପି ସେବାର ଅଭାବ ଏବଂ ନବନିର୍ମିତ ୩୦ ଶଯ୍ୟାବିଶିଷ୍ଟ ସିଏଚ୍ସି କୋଠା ହସ୍ତାନ୍ତରରେ ବିଳମ୍ବ ଭଳି ସମସ୍ୟା ଉପରେ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରି ସାଧାରଣ ଲୋକଙ୍କୁ ଉନ୍ନତ ଓ ସୁବିଧାଜନକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ।
ହାତୀବନ୍ଧାରେ ପ୍ରକଳ୍ପ ପରିଦର୍ଶନ
ଏହାପରେ ଜିଲ୍ଲାପାଳ ହାତୀବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି) ପରିଦର୍ଶନ କରି ରୋଗୀସେବାର ମାନ ଯାଞ୍ଚ କରିଥିଲେ। ଏଥିସହ ସେଠାରେ ନବନିର୍ମିତ ମାର୍କେଟ ୟାର୍ଡ ଏବଂ ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରାବାସ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଗୁଣବତ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସିନାପାଲି ବିଡିଓ, ତହସିଲଦାର, ଗୋଷ୍ଠୀ ଚିକିତ୍ସାଧିକାରୀ, ସ୍ୱାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଜିଲ୍ଲାପାଳଙ୍କ ପ୍ରଥମ ସିନାପାଲି ଗସ୍ତରେ ଅଞ୍ଚଳର ଷ୍ଟାଡିୟମ ନିର୍ମାଣ, ସ୍ୱାସ୍ଥ୍ୟସେବାର ଉନ୍ନତି ଓ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଭଳି ମୌଳିକ ପ୍ରସଙ୍ଗ ଗୁରୁତ୍ୱ ପାଇଛି। ଏହି ସମସ୍ୟାଗୁଡ଼ିକର ସମାଧାନ ହେଲେ ଅଞ୍ଚଳର ଜନସାଧାରଣ ଉପକୃତ ହେବା ସହ କ୍ରୀଡ଼ା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶର ନୂଆ ଦିଗ ଉନ୍ମୁକ୍ତ ହେବ ବୋଲି ସ୍ଥାନୀୟ ମହଲରେ ଆଶା ପ୍ରକାଶ ପାଇଛି।