କଳାହାଣ୍ଡି, ୧୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗତକାଲି ଥୁଆମୂଳ ରାମପୁର ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା। ନିର୍ବାଚନ ପାଇଁ ନିର୍ଦ୍ଧାରିତ ସର୍ବନିମ୍ନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପୂରଣ ହୋଇନଥିବାରୁ ଏଠାରେ ନିର୍ବାଚନ ପରିବର୍ତ୍ତେ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ପ୍ରତିନିଧି ଚୟନ କରାଯାଇଥିଲା। ତେବେ ଏହି ଚୟନ ପ୍ରକ୍ରିୟାକୁ ନେଇ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଚୟନିତ ପ୍ରାର୍ଥୀମାନଙ୍କୁ କେଉଁ ନିୟମାବଳୀ ଆଧାରରେ ଚୟନ କରାଗଲା, ସେ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇପାରିନଥିଲେ। ଚୟନ ପ୍ରକ୍ରିୟା ପୂର୍ବରୁ ପ୍ରାର୍ଥୀ ଚୟନର ମାନଦଣ୍ଡ ଓ ନିୟମାବଳୀ ସାର୍ବଜନୀନ କରାଯାଇନଥିବାରୁ ନାମାଙ୍କନ ଦାଖଲ କରିଥିବା ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ଅଧ୍ୟାପକମାନେ ଉପଯୁକ୍ତ ନିୟମାବଳୀ ଅନୁସରଣ କରାଯାଇଥିବା କହିବା ସହ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି କହିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ନିର୍ବାଚନ ସମୟରେ ସର୍ବେଶ୍ୱର ଉଠାଣ ଓ ବିଜେପିର ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ସହ ଏକ ନିର୍ଜନ ସ୍ଥାନରେ ଦେଖା ହେବା ଘଟଣାକୁ ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟତା ନଥିବାରୁ ଚୟନ ପ୍ରକ୍ରିୟାର ନିରପେକ୍ଷତା ନେଇ ପ୍ରଶ୍ନ ଉଠିଛି। ଏହା ସହିତ, ଚୟନିତ ପ୍ରାର୍ଥୀମାନଙ୍କ ଉପସ୍ଥାନ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ଛାତ୍ରଛାତ୍ରୀ ଆପତ୍ତି ଉଠାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେତେକ ଚୟନିତ ପ୍ରାର୍ଥୀ ନିୟମିତ ଭାବେ କ୍ଲାସ୍କୁ ଆସୁନଥିବା ସହ ଆବଶ୍ୟକ ୭୫ ପ୍ରତିଶତ ଉପସ୍ଥାନ ମଧ୍ୟ ନଥିବା କୁହାଯାଉଛି। ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ କମ୍ CGPA ଥିବା ସତ୍ତ୍ୱେ ସେମାନଙ୍କୁ ଚୟନ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଯଦି ଏହି ଅଭିଯୋଗଗୁଡ଼ିକ ସତ୍ୟ, ତେବେ ଚୟନ ପ୍ରକ୍ରିୟାରେ କେଉଁ ମାନଦଣ୍ଡ ଅନୁସରଣ କରାଯାଇଥିଲା, ତାହା ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏଥିସହ କେତେକ ଅଧ୍ୟାପକ ନିରପେକ୍ଷ ଭୂମିକା ନିର୍ବାହ ନକରି କେବଳ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଏବଂ ହେଲୋ ପଏଣ୍ଟରେ ଛାତ୍ରଛାତ୍ରୀଙ୍କ ସହ ବୈଠକ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ କିଛି ଛାତ୍ରଛାତ୍ରୀ ସମ୍ପୃକ୍ତ ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ 'ହାୟ ହାୟ' ଓ 'ମୁର୍ଦ୍ଦାବାଦ' ନାରା ଦେଇଥିଲେ। ଏହା ସହିତ କିଛି ଛାତ୍ରଛାତ୍ରୀ ଅଧ୍ୟକ୍ଷ ମାସକୁ ମାତ୍ର ଥରେ କ୍ଲାସ୍କୁ ଆସୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଦାବି: ଚୟନ ଫଳାଫଳ ବାତିଲ କରି ପୁନଃ ଚୟନ କରାଯାଉ ସମଗ୍ର ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ଛାତ୍ରଛାତ୍ରୀମାନେ ପ୍ରକାଶିତ ଚୟନ ଫଳାଫଳକୁ ବାତିଲ କରିବା ସହ ତୁରନ୍ତ ପୁନଃ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରିଛନ୍ତି। ଏଥିସହ ଚୟନ ପ୍ରକ୍ରିୟା ପାଇଁ ଉଦ୍ଦିଷ୍ଟ ନିୟମାବଳୀକୁ ସାର୍ବଜନୀନ କରିବା, ଚୟନ କମିଟିର ସଦସ୍ୟମାନଙ୍କ ନାମ ସର୍ବସାଧାରଣରେ ଘୋଷଣା କରିବା ଏବଂ ସମସ୍ତ ନିୟମ ପାଳନ କରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପୁନଃ ଚୟନ କରିବାକୁ ସେମାନେ ଦାବି ଜଣାଇଛନ୍ତି। ଏହି ଦାବିଗୁଡ଼ିକୁ ନେଇ ଛାତ୍ରଛାତ୍ରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଛାତ୍ର ସଂସଦ ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ମହତ୍ତ୍ୱପୂର୍ଣ୍ଣ ଅଭ୍ୟାସ। ତେଣୁ ଛାତ୍ର ପ୍ରତିନିଧି ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଓ ନିୟମାବଳୀର ଉପଯୁକ୍ତ ପାଳନ ସୁନିଶ୍ଚିତ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ରହିଥିବା ସନ୍ଦେହ ଦୂର କରିବା କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ।
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
