ଟେମେରା କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ, ୨୫ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
କୋକସରା, ୧୨/୧୦ ( ଈଶ୍ୱର ଲଦୁଆ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ଟେମେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟେମେରା କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ କ୍ଲଷ୍ଟର ଅଧୀନରେ ଥିବା ୨୫ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଡେଙ୍ଗାଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ପାଇକରାୟ, ପ୍ରଧାନଶିକ୍ଷକ ଦୟାନିଧି ହଂସ, ସମ୍ମାନିତ ମହାରଣା, ସିଆରସିସି ସଞ୍ଜୟ କୁମାର ପୂଜାରୀ, ନାଥ ସିଂ ଓ କବିତା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବୋବରିଆ, ଖୁର୍ସେଲଗୁଡ଼ା, ନୂଆପଡ଼ା, ହଂସପଡ଼ା, ଟେମେରା, କର୍ଲାଗୁଡ଼ା, ଡେଙ୍ଗାଗୁଡ଼ା, ଅଲାଗୁଡ଼ା, ସିର୍ଲିଗୁଡ଼ା ଓ ବଙ୍ଗୋମୁଣ୍ଡା ସମେତ ବିଭିନ୍ନ ଅଞ୍ଚଳର ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ସହ କୁନି କୁନି ପିଲାମାନଙ୍କ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ।