Hot Posts

6/recent/ticker-posts

ସୁନାବେଡ଼ା ମେଗା ଡ୍ରାଇଭ୍: ଜଜ ଓ ଆଇନଜିବୀ ମାନଙ୍କର 2-ଦିନିଆ ମେଗା (ବୃହତ୍) ଆଇନ ଶିବିର: 19ଟି ଜନ୍ମ ପ୍ରମାଣପତ୍ର ଆବଣ୍ଟିତ

ସୁନାବେଡ଼ା, ୧୨/୧୦ ( ପରମେଶ୍ୱର ମେହେର ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚାଲୁଥିବା ମେଗା ଡ୍ରାଇଭ୍ କାର୍ଯ୍ୟକ୍ରମ ଅଧୀନରେ ତା: ୧୦/୧୦/୨୦୨୬ ରିଖ ସୁନାବେଡ଼ା ସ୍ଥିତ ଆଦର୍ଶ କନ୍ୟା ଗୁରୁକୂଳରେ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନ ସହାୟତା ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପ୍ରଥମଥର ପାଇଁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜେ.ଏମ୍. ଏସ୍.ସି କାହ୍ନୁ କିସ୍କୁ, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି, ସୁନାବେଡ଼ା ଅଭୟାରଣ୍ୟ ର ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ, ଖଡିଆଳ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଅତିରିକ୍ତ ତହସିଲଦାର କୋମନା ଯୋଗେଶ୍ୱର ସାହୁ, ଅତିରିକ୍ତ ତହସିଲଦାର ନୂଆପଡ଼ା ଦିଲ୍ଲିପ କୁମାର ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋମନା ଭକ୍ତବନ୍ଧୁ ବୁଡେକ୍, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୋମନା ଅବିନାଶ କୁମାର ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନୂଆପଡ଼ା ହରପ୍ରସାଦ ଦାସ, କୋମନା ବାର ଅଧିବକ୍ତାଗଣ- ଲଲାଟେନ୍ଦୁ ନିଆଲ, ହରି କୁଲଦୀପ, ଭାବଗ୍ରାହୀ ପଣ୍ଡା, କନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷୟତ୍ରୀ ଲତା ପ୍ରଧାନ, ସୁନାବେଡ଼ାର ସରପଞ୍ଚ ରଜନୀ ଜଗତ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟ ପ୍ରକାଶ ମାଝୀ ତଥା ପ୍ରାଧିକରଣର ଅଧିକାର ମିତ୍ରଗଣ ଅଂଶଗ୍ରହଣ କରି ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ଅନୁସୂଚିତ ଜନଜାତି ର ବ୍ୟକ୍ତି ମାନଙ୍କ ପାଇଁ ଥିବା ସମ୍ବାଦ ଯୋଜନା, ହିଂସ୍ରଜନ୍ତୁ- ମନୁଷ୍ୟ ସଂଘର୍ଷ ରେ ପୀଡ଼ିତଙ୍କୁ ଆଇନ ସହାୟତା ଯୋଜନା, ୨୦୨୫, ରାଜ୍ୟ ବନ ବିଭାଗର ଅନୁକମ୍ପା ଯୋଜନାରେ କ୍ଷତିପୂରଣ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଦ୍ଵିତୀୟ ଦିବସ- ତା: ୧୧/୧୦/୨୦୨୬ ର ଶିବିରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ, ନିଖିଳ ଓଡ଼ିଶା ଓକିଲ ସଂଘର ପୂର୍ବତନ ସଭାପତି ତଥା ଓଡ଼ିଶା ରାଜ୍ୟ ବାର କାଉନସିଲ୍ ର ସଦସ୍ୟ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତ୍ରିପାଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି, ମହାମାୟା ଆଇନ ମହାବିଦ୍ୟାଳୟର ଅଧକ୍ଷ ଡଃ. ଅନୀଲ କୁମାର ତାଣ୍ଡି, ଖଡ଼ିଆଳ ଓକିଲ ସଂଘର ସଭାପତି ଗୋବର୍ଦ୍ଧନ ସୁନା, ନୂଆପଡ଼ା ଓକିଲ ସଂଘରୁ ତ୍ରିଲୋକ ଚାନ୍ଦ ସୋନୀ (ପୂର୍ବତନ ସରକାରୀ ଓକିଲ), ପୁରୁଷୋତ୍ତମ ସୋନୀ, ଗୌରୀ ଶଙ୍କର ଶତପଥୀ (ପୂର୍ବତନ ଆଇନ ସେବା ପ୍ରତିପକ୍ଷ ଓକିଲ), ଲୋକନାଥ ବାଗ, ନୂଆପଡ଼ା ସିଭିଲ ଓକିଲ ସଂଘର ସଦସ୍ୟ ତଥା ପ୍ରମୁଖ ଆଦିବାସୀ ନେତା ଘାସିରାମ ମାଝୀ, ଦେବଦତ୍ତ ଦୀକ୍ଷିତ, ପ୍ରାଧିକରଣ ର ପ୍ୟାନେଲ ଓକିଲ ସନ୍ଥରାମ ସାହୁ, ବଳଦେବ ରଥ, କୋମନା ଓକିଲ ସଂଘରୁ ଲଲାଟେନ୍ଦୁ ନିଆଲ, ହରି କୁଲଦୀପ, ଓ ଖଡ଼ିଆଳ ଓକିଲ ସଂଘର ଅଧିବକ୍ତାଗଣ ରବୀନ୍ଦ୍ର କୁମ୍ଭାର, ଭବେଶ କୁମାର ପାଣିଗ୍ରାହୀ, ଦରବାର ସାହିତ୍ୟ ସଂସଦ ର ଜିଲ୍ଲା ସଂଯୋଜିକା ବୈଦେହୀ ସେଠିଆ, କନ୍ୟା ଗୁରୁକୂଳର ଅଧ୍ୟକ୍ଷା ଲତା ପ୍ରଧାନ ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ଓ ମହାମାୟା ଆଇନ ମହାବିଦ୍ୟାଳୟ ର ଆଇନ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ଅନୁସୂଚିତ ଜନଜାତି ର ବ୍ୟକ୍ତି ମାନଙ୍କ ପାଇଁ ଥିବା 13ଟି ପ୍ରକାରର ଯୋଜନା, ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା, ଅଧାରୁ ପାଠ ଛାଡ଼ିଥିବା ଶିଶୁଙ୍କୁ ପୁଣି ସ୍କୁଲରେ ନାମ ଲେଖାଇବା ଇତ୍ୟାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ସଭା ରେ ଗୁରୁକୂଳର ଛାତ୍ରୀମାନେ ଆଦିବାସୀ ନୃତ୍ୟ, ଭୁଞ୍ଜୀଆ ସଙ୍ଗୀତ ଓ ପରିଶେଷରେ ବାଲ୍ୟ ବିବାହ ନିରାକରଣ ବିଷୟରେ ଏକ କ୍ଷୁଦ୍ର ନାଟକ ମଧ୍ୟ ମଞ୍ଚସ୍ଥ କରିଥିଲେ । ଏହି ଦ୍ଵି-ଦିବସୀୟ ବୃହତ ଶିବିରରେ ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦ୍ଵାରା ଘରରୁ ଘର ଯାଇ ସର୍ଭେ ଦ୍ୱାରା ଚିହ୍ନଟ ହୋଇଥିବା 19ଜଣ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ମାନ୍ୟବର ଜିଲ୍ଲା ଜଜ ଓ ଅତିଥିମାନଙ୍କ କରକମଳରେ ବଣ୍ଟନ କରାଯାଇଥିଲା । ପ୍ରଥମଥର ପାଇଁ ନିଜ ଗ୍ରାମରେ ମାନ୍ୟବର ଜିଲ୍ଲା ଜଜ ଏବଂ ଏତେ ସଂଖ୍ୟକ ବିଚାରପତି, ଜାତୀୟ, ରାଜ୍ୟ, ଜିଲ୍ଲା ତଥା ତାଲୁକ ସ୍ତରୀୟ କୋର୍ଟ ମାନଙ୍କରେ କାର୍ଯ୍ୟରତ ଓକିଲ, ପ୍ରଶାସନିକ ଅଧିକାରୀ, ଆଇନ ଅଧ୍ୟାପକ ଓ ଆଇନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଗହଣରେ ପାଇ ସୁନାବେଡ଼ାର ସମସ୍ତ ଗ୍ରାମବାସୀ ଖୁସି ହୋଇ ଏଣିକି ମୌଳିକ ଆଇନ ସେବା ରୁ ବଞ୍ଚିତ ହେବେ ନାହିଁ ବୋଲି ଆଶା ବ୍ୟକ୍ତ କରିଥିଲେ ।