କଲ୍ୟାଣ ଜୁଏଲର୍ସ ଉଦ୍ଘାଟନକୁ ନେଇ NH-326ରେ ଭୟଙ୍କର ଟ୍ରାଫିକ୍ ଜାମ୍ ପ୍ରାୟ ୨ ଘଣ୍ଟା ଧରି ଯାନବାହାନ ଅଟକିଲା, ଟ୍ରାଫିକ୍ରେ ଫସିଲା ଆମ୍ବୁଲାନ୍ସ
ରାୟଗଡ଼ା, ୦୮/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ସଦର ଅଞ୍ଚଳରେ କଲ୍ୟାଣ ଜୁଏଲର୍ସର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ନେଇ ପ୍ରବଳ ଜନଗହଳି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ଜାତୀୟ ରାଜପଥ-୩୨୬ ରେ ପ୍ରାୟ ୨ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଟ୍ରାଫିକ୍ ଜାମ୍ରେ ବହୁ ସଂଖ୍ୟକ ଟ୍ରକ୍, ବସ୍ ଓ କାର୍ ଦୀର୍ଘ ସମୟ ଧରି ଅଟକି ରହିଥିବା ବେଳେ ଏଥିରୁ ଆମ୍ବୁଲାନ୍ସ ମଧ୍ୟ ବାଦ ପଡ଼ିନଥିଲା। ଜରୁରୀକାଳୀନ ସେବାରେ ଥିବା ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ୍ରେ ଫସି ରହିଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହେବା ଯୋଗୁଁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶେଷକରି ଜାତୀୟ ରାଜପଥ ଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଏଭଳି ଟ୍ରାଫିକ୍ ଜାମ୍ କିପରି ସୃଷ୍ଟି ହେଲା ଏବଂ ଏହାକୁ ନିୟନ୍ତ୍ରଣ ପାଇଁ ପୂର୍ବରୁ କି ପ୍ରସ୍ତୁତି ରହିଥିଲା, ତାହାକୁ ନେଇ ଜିଲ୍ଲା ପୋଲିସ ଓ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ନୂଆ ଶୋ’ରୁମ୍ ଉଦ୍ଘାଟନ ସମ୍ପର୍କରେ ସମ୍ପ୍ରତି ଖବର ପ୍ରକାଶ ପାଇଛି।