କଳାହାଣ୍ଡି, ୦୩/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବନ୍ଧପାରୀ ପଞ୍ଚାୟତର ବନ୍ଧପାରୀ ଅନ୍ତେବାସୀଙ୍କ ଖାଦ୍ୟ ଓ ପ୍ରସାଧନ ସାମଗ୍ରୀରେ ହରିଲୁଟ ଅଭିଯୋଗ ହୋଇଛି I ଅନ୍ତେବାସୀଙ୍କ ଛାତ୍ରୀଙ୍କୁ ମେନ୍ୟୁ ଅନୁସାରେ ଖାଦ୍ୟ ଯୋଗାଣ ନହେବା,ପ୍ରସାଧନ ସାମଗ୍ରୀରେ ବ୍ୟାପକ ହେରଫେର ଆଦି ଅଭିଯୋଗକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ I ବିଭିନ୍ନ ସମୟରେ ବିବାଦ ଘେରରେ ରହି ଆସିଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ନାଏକଙ୍କ ନାମରେ ଏଥର ଗୁରୁତର ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ I ଏନେଇ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଓ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର ଙ୍କୁ ଭେଟି ସେମାନେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି I ସୂଚନାନୁସାରେ, ବୁଧବାର ଦିନ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଓ କିଛି ସଦସ୍ୟ ହଷ୍ଟେଲ ପରିଦର୍ଶନ ସମୟରେ ଅନ୍ତେବାସୀ ଛାତ୍ରୀମାନଙ୍କୁ ମେନ୍ୟୁ ଅନୁଯାୟୀ ଖାଦ୍ୟ ପରିବେଷଣ କରାଯାଉନଥିବା ଦେଖିବାକୁ ପାଇଥିଲେ I ସେହିପରି ଛାତ୍ରୀମାନଙ୍କୁ ପ୍ରସାଧନ ସାମଗ୍ରୀ ଯୋଗାଣରେ ମଧ୍ୟ ହେରଫେର ହେଉଥିବା ସେମାନେ ଜାଣିବାକୁ ପାଇଥିଲେ I ଏସବୁ ଜାଣିବା ପରେ କମିଟି କର୍ମକର୍ତ୍ତା ଉପରିସ୍ତ ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ବାସୀ ଦାବି କରୁଛନ୍ତି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ I
