ଘରୋଇ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ, ୦୯/୦୯ ( କାହୁଁ ଚରଣ ବାରିକ ) : କଟକ ସିଡିଏ ଅଞ୍ଚଳସ୍ଥିତ ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗତକାଲି ରାତିରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଛାତ୍ର ହେଲେ ଚିନ୍ମୟ କୁମାର ସାହୁ (୧୭)। ସେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାର ଶଙ୍କରପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଆଠଗଡ଼ ଗଦାସାହିରେ ରହୁଥିବା ଜଣାପଡ଼ିଛି। ଘଟଣା ପରେ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଫେଜ୍-୨ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପରିବାରର ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।