ସିଂହପୁର, ସୟଦପୁର ଓ ଘଣ୍ଟିଆଳିର ଜଳବନ୍ଦୀ ଅଞ୍ଚଳ ବୁଲିଲେ ବବିତା
ବିଞ୍ଝାରପୁର, ୨୫/୦୯ (ପ୍ରଦୀପ କୁମାର ମଲ୍ଲିକ) : ଅବପାତଜନିତ ଲଗାଣ ବର୍ଷାରେ ବିଞ୍ଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଲ୍ଲିକ ଓ ବରିଷ୍ଠ ବିଜେପି ନେତା ନିରଞ୍ଜନ ବେଉରିଆ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ସିଂହପୁର ପଞ୍ଚାୟତର ୧ ଓ ୨ ନମ୍ବର ୱାର୍ଡ, ସୟଦପୁରର ୧୦ ନମ୍ବର ୱାର୍ଡ ଓ ଘଣ୍ଟିଆଳି ପଞ୍ଚାୟତ ବୁଲି ଜଳବନ୍ଦୀ ପରିବାରଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ। ଘରେ ବର୍ଷାଜଳ ପଶିଥିବା ପରିବାରଗୁଡ଼ିକୁ ଭେଟି ସେମାନଙ୍କ ସମସ୍ୟା ଶୁଣିବା ସହ ତୁରନ୍ତ ପାଲ ଯୋଗାଇଦେବାକୁ ତହସିଲଦାରଙ୍କୁ ଅବଗତ କରିଥିଲେ। ଲଗାଣ ବର୍ଷା ଯୋଗୁଁ ବ୍ଲକର ବିଭିନ୍ନ ସାହି, ଗାଁ, ବଜାର ଓ ରାସ୍ତାଘାଟରେ ଜଳ ଜମି ରହିଛି। ସିଂହପୁର-କଣ୍ଡିଆ ପୂର୍ତ୍ତ ବିଭାଗ ରାସ୍ତା, ପୋଖରୀ ଛକ ଓ ଫତେପୁର ଗାଁ ପ୍ରବେଶ ପଥ ଭଳି ବିଭିନ୍ନ ସ୍ଥାନରେ ଆଣ୍ଠୁଏରୁ ଅଧିକ ପାଣି ଜମିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ସିଂହପୁରରେ ରାସ୍ତା ଉପରେ ଗଛ ପଡ଼ିଯିବାରୁ ଶୁକ୍ରବାର ପ୍ରାୟ ୩ ଘଣ୍ଟା ବସ୍ ଚଳାଚଳ ବନ୍ଦ ରହିଥିଲା। ପରେ ଗଛ କାଟି ହଟାଯିବାରୁ ଯାତାୟାତ ସ୍ୱାଭାବିକ ହୋଇଥିଲା। ସିଂହପୁରର ୧ ଓ ୨ ନମ୍ବର ୱାର୍ଡରେ ଜଳ ନିଷ୍କାସନ ସମସ୍ୟା ଦୀର୍ଘଦିନର ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ଥିବାରୁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସହ ପ୍ରଶାସନିକ ନଜରଦାରି ବଢ଼ାଇବାକୁ ଦାବି ହୋଇଛି। ପରିଦର୍ଶନ ସମୟରେ ମଳୟ ନାୟକ, ଗଣେଶ ସାହୁ, ମଦନମୋହନ ଜେନା, ଦେବପ୍ରସାଦ ବେହେରା, ଦେବେନ୍ଦ୍ର ମଲ୍ଲିକ, ସୁନୀଲ ସାହୁ, ଯଦୁ ଧଳ, କୁଞ୍ଜ ବେହେରା ଓ ଗୋକୁଳି ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |