Hot Posts

6/recent/ticker-posts

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି ପ୍ରଶାସନର ସହାୟତା ଅପେକ୍ଷାରେ ଅସହାୟ ପରିବାର

କୋକସରା, ୨୫/୦୯ (ରିତେଶ କୁମାର ମୁଣ୍ଡ) : ଲଘୁଚାପଜନିତ ଲଗାଣ ବର୍ଷାରେ କୋକସରା ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ବେଳେ ଅନେକ ପରିବାର ଭୟ ଓ ଆତଙ୍କ ମଧ୍ୟରେ ରାତି କାଟୁଥିବା ଜଣାପଡ଼ିଛି। କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହଜନାଗୁଡ଼ା ଗ୍ରାମରେ ଏଭଳି ଏକ ଅଘଟଣ ଘଟିଛି। ବୃଦ୍ଧ ଦମ୍ପତି ଗରିଧାରୀ ନିଆଲ ଓ ଶାନ୍ତି ନିଆଲ ରାତିରେ ଖାଇସାରି ଶୋଇଥିବା ସମୟରେ ପ୍ରାୟ ରାତି ୮ଟା ୩୦ରେ ହଠାତ୍ ସେମାନଙ୍କ ଘର ଭୁଶୁଡ଼ି ପଡ଼ିଥିଲା। ଘରଟି ସମ୍ପୂର୍ଣ୍ଣ ଭାବେ ଦମ୍ପତିଙ୍କ ଉପରେ ପଡ଼ିଯାଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଫଳରେ ଅଳ୍ପକେ ବଡ଼ ଅଘଟଣରୁ ବୃଦ୍ଧ ଦମ୍ପତି ବର୍ତ୍ତି ଯାଇଥିଲେ। ଘର ଭୁଶୁଡ଼ି ପଡ଼ିବା ପରେ ଘର ଭିତରେ ଥିବା ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମାଟି ତଳେ ଚାପି ହୋଇଯାଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ସେମାନଙ୍କ ପାଖରେ ଆଉ ଘର ନାହିଁ। ପୁଅଝିଅ କେହି ନଥିବାରୁ ବୃଦ୍ଧ ଦମ୍ପତି ଅଧିକ ଅସହାୟ ହୋଇପଡ଼ିଛନ୍ତି। ନିଜ ଖର୍ଚ୍ଚରେ ନୂଆ ଘର ତିଆରି କରିବାକୁ ମଧ୍ୟ ସେମାନେ ସକ୍ଷମ ନୁହନ୍ତି। ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ରହିବା ଓ ଖାଦ୍ୟର ବ୍ୟବସ୍ଥା ସହିତ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।ସେହିପରି କୋକସରା ବ୍ଲକ ବରଡ଼ଙ୍ଗା ପଞ୍ଚାୟତରେ ମଧ୍ୟ ଲଗାଣ ବର୍ଷାରେ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ବରଡ଼ଙ୍ଗା ଗ୍ରାମର ଗୋକୁଳ ବାରିକଙ୍କ ଘର ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ଭୁଶୁଡ଼ି ପଡ଼ିଥିଲା। ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘର ଖଣ୍ଡିଏ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ଆବାସ ମିଳିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। କୁଳି ମଜୁରୀ କରି ପରିବାର ଚଳାଉଥିବା ଗୋକୁଳଙ୍କ ପରିବାର ଏବେ ଏକ ଘର ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟପଟେ କାଉଡୋଳା ଗ୍ରାମର ତପନ କୁମାର କୋଚିଆ ଓ କୌଶଲ୍ୟା ମାଝୀଙ୍କ ଘର ମଧ୍ୟ ଲଗାଣ ବର୍ଷାରେ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି। ଘର ଭାଙ୍ଗିଯିବା ପରେ ପରିବାର ଲୋକେ ରାତିସାରା ଉଜାଗର ରହିଥିବା କହିଛନ୍ତି। ବର୍ଷା ଓ ଭଙ୍ଗା ଘର ଯୋଗୁଁ ସେମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।ଏଭଳି ପରିସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରାଯିବା ସହିତ ଯୋଗ୍ୟ ପରିବାରଗୁଡ଼ିକୁ ତୁରନ୍ତ ସରକାରୀ ସହାୟତା, ଆବାସ ଓ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।