ଦାରିଙ୍ଗବାଡ଼ି: ୨୫/୦୯ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡ଼ିବଙ୍ଗା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଗ୍ରାମରେ ୧୫ ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପ୍ରଭାବିତ ପରିବାର କୁ ପ୍ରଶାସନ ର ସହାୟତା କୁ ଅପେକ୍ଷା କରିଛନ୍ତି। ଗତ ତିନିଦିନ ଧରି ଅଞ୍ଚଳ ରେ ଲଗାଣ ବର୍ଷା ଜାରି ରହିଥିବାରୁ ଗ୍ରାମର ଅନେକ ମାଟିଘର ଅବସ୍ଥା ଦୁର୍ବଳ ହୋଇପଡ଼ିଛି। ଆଡ଼ିବଙ୍ଗା ଗ୍ରାମର ବଳିନ୍ଦ୍ର ବଳିୟାରସିଂଙ୍କ ଘର ମାଟିକାନ୍ଥ ଭୁଶୁଡ଼ି ପଡ଼ିବା ସହ ଘର ଭିତର କୁ ବର୍ଷାଜଳ ପଶିଯାଇଛି। ଫଳରେ ପରିବାର ପାଇଁ ଘରେ ରହିବା କଷ୍ଟକର ହୋଇପଡ଼ିଛି। ବଳିନ୍ଦ୍ରଙ୍କ ପରିବାର ରେ ମା’ଙ୍କ ସମେତ ମୋଟ ପାଞ୍ଚଜଣ ସଦସ୍ୟ ରହୁଛନ୍ତି। ସେମାନଙ୍କ ମଧ୍ୟରେ ପାଞ୍ଚବର୍ଷର ଜଣେ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି। ପରିବାରର କହିବା ଅନୁସାରେ, ଶିଶୁଟି ଚାଲିବା କିମ୍ବା କଥା କହିବାରେ ସକ୍ଷମ ନୁହେଁ ଏବଂ ଏପର୍ଯ୍ୟନ୍ତ ଭତ୍ତା ମଧ୍ୟ ମିଳୁନାହିଁ। ଫଳରେ ପରିବାର ଟି ସରକାରୀ ସହାୟତା ରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି । ଗ୍ରାମ ରେ କୌଣସି ରୋଜଗାର ସୁଯୋଗ ନଥିବାରୁ ପରିବାରର ଭରଣପୋଷଣ ପାଇଁ ବଳିନ୍ଦ୍ର ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଜଣାପଡ଼ିଛି। ଏପଟେ ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଛି। ଘରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପାଣିରେ ଭିଜିଯାଇଥିବା ବେଳେ ରୋଷେଇ କରିବା ପାଇଁ ମଧ୍ୟ ସୁରକ୍ଷିତ ସ୍ଥାନ ନଥିବା ପରିବାର ପକ୍ଷରୁ କକହିଛନ୍ତି । ବର୍ଷା ଆହୁରି ବଢ଼ିଲେ ଘର ଭୁଶୁଡ଼ିବା ସହ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ପ୍ରଭାବିତ ପରିବାର ଗୁଡ଼ିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟ ଦେଇ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇବା ସହ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
