Hot Posts

6/recent/ticker-posts

ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ

ଝରିଗାଁ, ୧୦/୦୯ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପଞ୍ଚାୟତ ସମିତିର ସାଧାରଣ ବୈଠକ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଇଇ ବିନୀତ କୁମାର ମିଶ୍ର ଏବଂ ଏବିଡିଓ ତ୍ରିଲୋଚନ ଛଞ୍ଚାଣ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ। ବୈଠକରେ ବ୍ଲକ ଅଞ୍ଚଳରେ ଚାଲିଥିବା ଓ ପ୍ରସ୍ତାବିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସହ ଲୋକଙ୍କ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ପାନୀୟ ଜଳ ଯୋଗାଣ, କୃଷି, ଶିକ୍ଷା, ଖାଦ୍ୟ ଓ ଯୋଗାଣ, କୃଷି ଓ ଉଦ୍ୟାନ ଏବଂ ଜଳ ବିଭାଜିକା ବିଭାଗର ବିଭିନ୍ନ ଯୋଜନା, କାର୍ଯ୍ୟକାରିତା ଓ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ସରକାରୀ ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଞ୍ଚଳର ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। ସଭା ଶେଷରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁବାସ ଡାଲି ସଭା ପରିଚାଳନାରେ ସହଯୋଗ କରିଥିଲେ।