Hot Posts

6/recent/ticker-posts

ମେଗାଲିଫ୍ଟ କେନାଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଗୋହିରାପଦର ବ୍ରିଜ ତଳୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ମୃତ୍ୟୁର କାରଣ ନେଇ ରହସ୍ୟ

କୋକସରା, ୧୨/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଲଡ଼ୁଗାଁ ଓ ଉଛୁଳା ମଝିରେ ଥିବା ଗୋହିରାପଦର ବ୍ରିଜ ତଳୁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଶନିବାର ଭୋର ସମୟରେ କେନାଲରେ ଶବଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ କୋକସରା ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଉଭୟ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ କେନାଲରୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ମହିଳା ଜଣକ ଜାମଛୁଆଁ ଗ୍ରାମର ଦଷେଇ ମାଝୀ (୪୦) ବୋଲି ସମ୍ପର୍କୀୟମାନେ ଚିହ୍ନଟ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦଷେଇ ମାଝୀ ପ୍ରାୟ ଏକ ମାସ ହେଲା ତାଙ୍କ ଭାଇଙ୍କ ଘରେ ରହିଆସୁଥିଲେ। ତିନି ଦିନ ପୂର୍ବେ ସେ ନିଜ ପୁଅ ଓ ଝିଅଙ୍କୁ ଦେଖିବା ପାଇଁ ସିଲେଇଜୋର ଯାଇଥିଲେ। ସେଠାରେ ପୁଅ-ଝିଅଙ୍କ ସହ ଦେଖାସାକ୍ଷାତ କରିଥିଲେ। ତେବେ ସେଠାରୁ ଫେରି ନିଜ ଭାଇଙ୍କ ଘରକୁ ଆସିନଥିଲେ। ଦଷେଇ ମାଝୀ ଘରକୁ ନ ଫେରିବାରୁ ତାଙ୍କ ଭାଇ ଦୀପଚନ ମାଝୀ ଚିନ୍ତିତ ହୋଇ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ପରେ ସେ ସିଲେଇଜୋର ଯାଇ ନିଜ ଭଣଜା-ଭାଣିଜୀଙ୍କୁ ପଚାରିବାରୁ, ମାଆ କେତେବେଳେ ଏଠାରୁ ଚାଲିଗଲେଣି ବୋଲି ସେମାନେ କହିଥିଲେ। ଏହାପରେ ଦୀପଚନ ମାଝୀ ପୁଣି ତାଙ୍କ ଭଉଣୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ। ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।ଆଜି ଶନିବାର ଭୋର ସମୟରେ ଗୋହିରାପଦର ବ୍ରିଜ ତଳେ ମେଗାଲିଫ୍ଟ କେନାଲରେ ଏକ ଗଳିତ ଶବ ଭାସୁଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା। ଖବର ପାଇ କୋକସରା ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗର ଓ.ଆଇ.ସି. ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କଶ୍ୟପ ପଟ୍ଟନାୟକ, ଶୁନୀଲ ରଞ୍ଜନ ବର୍ଲା, ଲଳିତ ପୁଟେଲ, ଉମାଶଙ୍କର ନାଏକ ଓ ଦେବାଶିଷ ମହାପାତ୍ର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। କୋକସରା ପୋଲିସ ପକ୍ଷରୁ ଏ.ଏସ.ଆଇ. ସଂଗୀତା ଖେତି ଘଟଣାସ୍ଥଳରେ ଉପସ୍ଥିତ ଥିଲେ।ଉଦ୍ଧାର ପରେ ମୃତକଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।ତେବେ ଦଷେଇ ମାଝୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ସେ ଦୁର୍ଘଟଣାବଶତଃ କେନାଲରେ ପଡ଼ିଥିଲେ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି—ତାହା ଏବେ ରହସ୍ୟ ଘେରରେ ରହିଛି। ଏହା ହତ୍ୟା ନା ଦୁର୍ଘଟଣା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏନେଇ କୋକସରା ପୋଲିସ କେସ୍ ନଂ-୨୦/୨୦୨୬ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତରୁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଏ.ଏସ.ଆଇ. ସଂଗୀତା ଖେତି ପ୍ରକାଶ କରିଛନ୍ତ