ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଜବତ, ଦୁଇ ଗିରଫ
ମାଲକାନଗିରି, ୦୯/୦୯ (ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବୈଧ ମଦ କାରବାର ବିରୋଧରେ ଚାଲିଥିବା ଅଭିଯାନ ଅନ୍ତର୍ଗତ ମଙ୍ଗଳବାର ନିୟମିତ ପାଟ୍ରୋଲିଂ ସମୟରେ ଜିଲ୍ଲା ମୋବାଇଲ ୟୁନିଟ୍ ଦ୍ୱାରା ଚଢ଼ାଉ କରାଯାଇ ଦୁଇଟି ଅବକାରୀ ମାମଲା ରୁଜୁ କରାଯାଇଛି। ଚଢ଼ାଉ ସମୟରେ ଅଧିକାରୀମାନେ ୯୦ ଲିଟର ଅବୈଧ ଦେଶୀ ମଦ ସହିତ ୨ଟି ମୋଟରସାଇକେଲ ଜବତ କରିଥିଲେ। ଏହି ଘଟଣାରେ ମାଲକାନଗିରି ଜିଲ୍ଲା ସଦର ଦୁର୍ଗାଗୁଡ଼ି ସାହିର ତ୍ରିନାଥ ଭୂମିଆ, ସଦର ବ୍ଲକର ତାଣ୍ଡପାଲି ଗ୍ରାମର ୱାଗା ପାଡ଼ିଆମୀଙ୍କୁ ଗିରଫ କରାଯାଇଛି। ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ବିଙ୍ଗରାଜ ଦାମୀ, ଅବକାରୀ ଏସ୍ଆଇ ଦୀନବନ୍ଧୁ ଶିରା, କନଷ୍ଟେବଲ ଜ୍ଞାନରଞ୍ଜନ ସାହୁ ଓ ପାଣ୍ଡବ ଟୁଡୁ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି ଯେ, ଅବୈଧ ମଦ ପ୍ରସ୍ତୁତି, ପରିବହନ ଓ ବିକ୍ରୟ ବିରୋଧରେ ଏଭଳି ଚଢ଼ାଉ ଏବଂ ସ୍ୱତନ୍ତ୍ର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।