Hot Posts

6/recent/ticker-posts

ତାରକୋନାଡ଼ି ସ୍କୁଲକୁ ପୁନର୍ବାର ଜଣେ ଶିକ୍ଷକଙ୍କ ଡେପୁଟେସନକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ।

ଝରିଗାଁ, ୦୮/୦୯ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ତାରା କୋନାଡୀ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଆଣିବାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଆପତ୍ତି ଜଣାଇ ଡେପୁଟେସନ ଆଦେଶର ପୁନଃସମୀକ୍ଷା ଓ ଘଟଣାର ତଦନ୍ତ ଦାବି କରିଛନ୍ତି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ସହକାରୀ ଶିକ୍ଷକ ବିଜୟ କୁମାର ମାଝୀଙ୍କୁ ନେଇ ପୂର୍ବରୁ କିଛି ଅଭିଯୋଗ ରହିଥିଲା। ଏହା ପରେ ତାଙ୍କୁ ରାଇଘର ବ୍ଲକର ଫୁଟାନଡା ଗ୍ରାମକୁ ବଦଳି କରାଯାଇଥିଲା। ତେବେ ସେଠାରେ ବର୍ଷେ ପୂରଣ ହେବା ପୂର୍ବରୁ ପ୍ରାୟ ୮ ମାସ ମଧ୍ୟରେ ପୁଣି ତାଙ୍କୁ ତାରା କୋନାଡୀ ବିଦ୍ୟାଳୟକୁ ଡେପୁଟେସନରେ ଆଣିବାକୁ ନେଇ ପ୍ରଶାସନିକ ନିଷ୍ପତ୍ତିର ଆଧାର ଉପରେ ପ୍ରଶ୍ନ ଉଠିଛି। ଡେପୁଟେସନ ପଛରେ କାହାର ଚାପ? ଶିକ୍ଷକଙ୍କୁ ପୁଣି ତାରକୋନାରୀ ବିଦ୍ୟାଳୟକୁ ଆଣିବା ପଛରେ କୌଣସି ରାଜନୈତିକ ଚାପ କିମ୍ବା ହସ୍ତକ୍ଷେପ ରହିଛି କି, ତାହାକୁ ନେଇ ମଧ୍ୟ ଅଭିଭାବକ ଓ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଯଦି ଏହା ସାଧାରଣ ପ୍ରଶାସନିକ ଆବଶ୍ୟକତା ଆଧାରରେ ହୋଇଛି, ତେବେ ମାତ୍ର ୮ ମାସ ମଧ୍ୟରେ ପୁଣି ଡେପୁଟେସନ କରାଯିବାର କାରଣ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହାର ସ୍ପଷ୍ଟତା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ତଥ୍ୟ ସାମ୍ନାକୁ ଅଣାଯାଉ ବୋଲି ଦାବି ହୋଇଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ସମ୍ପୃକ୍ତ ଶିକ୍ଷକଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଅସନ୍ତୋଷ ରହିଛି। ତେଣୁ ତାଙ୍କୁ ପୁଣି ବିଦ୍ୟାଳୟକୁ ଆଣିଲେ ଶିକ୍ଷା ପରିବେଶ ପ୍ରଭାବିତ ହେବା ସହ ନୂଆ ବିବାଦ ସୃଷ୍ଟି ହୋଇପାରେ ବୋଲି ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି ବିଜୟ କୁମାର ମାଝୀ ବିଦ୍ୟାଳୟରେ ଯୋଗଦେଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ତାରକୋନାରୀ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମ୍ପୃକ୍ତ ଶିକ୍ଷକଙ୍କ ବଦଳରେ ଅନ୍ୟ ଜଣେ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତ କରାଯାଉ ବୋଲି ଅଭିଭାବକ ଓ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି। ଡେପୁଟେସନ ଆଦେଶର ପ୍ରକୃତ କାରଣ କ’ଣ, ଏଥିରେ କୌଣସି ରାଜନୈତିକ ହସ୍ତକ୍ଷେପ ରହିଛି କି ନାହିଁ ଏବଂ ଅଭିଭାବକଙ୍କ ଅଭିଯୋଗ ଉପରେ ବିଭାଗ କି ପଦକ୍ଷେପ ନେଉଛି ଏସବୁ ଏବେ ତଦନ୍ତର ବିଷୟ ପାଲଟିଛି। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷକ ଓ ଶିକ୍ଷା ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।