ଲଇକେରାରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
ଲଇକେରା , ୦୮/୦୯ ( ନବଦୂତ ) : ଲଇକେରା ବ୍ଲକ ପ୍ରଶାସନ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ହିମାଂଶୁ ବାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଲଇକେରା, ଶିଶୁ ମନ୍ଦିର ଲଇକେରା, ପି.ଏସ୍. କଲେଜ ଲଇକେରା ଏବଂ ନର୍ସିଂ କଲେଜର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ, ସମସ୍ତ ସି.ଆର.ସି.ସି. ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।ପ୍ରଥମେ ଛାତ୍ରଛାତ୍ରୀମାନେ ହାତରେ "ପଢ଼ିବ ଓଡ଼ିଶା, ବଢ଼ିବ ଓଡ଼ିଶା", "ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ " ଭଳି ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଲଇକେରା ବଜାର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ।ପରେ ବ୍ଲକ ପରିସରରେ ଆୟୋଜିତ ସଭାରେ ବି.ଇ.ଓ. ଶ୍ରୀ ବାଗ କହିଥିଲେ, "ସାକ୍ଷରତା କେବଳ ଦସ୍ତଖତ ନୁହେଁ, ଏହା ଡିଜିଟାଲ ଯୁଗରେ ଭଲ-ମନ୍ଦ ଚିହ୍ନିବାର ଶକ୍ତି।"ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ଚଳିତ ବର୍ଷର ଥିମ୍ "ଲୋକ, ପୃଥିବୀ ଏବଂ ସମୃଦ୍ଧି ପାଇଁ ସାକ୍ଷରତା" ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଲଇକେରା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେର, ବିଆରସିସି ଜନ୍ମାଜୟ ନାଏକ, ଏବିଇଓ ହରିଶ ଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷକ ହେମନ୍ତ ପଟେଲ,ଚୈତନ କଣ୍ଟା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ତାଳମୁଣ୍ଡା ସି.ଆର.ସି.ସି. ମନୋରଞ୍ଜନ କଣ୍ଟା ସଭା ସଂଯୋଜନା କରିଥିବା ବେଳେ ସାହସପୁର ସି.ଆର.ସି.ସି. ପ୍ରଦୀପ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଗୋଷ୍ଠୀ ଶିକ୍ଷାକେନ୍ଦ୍ରର କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।