ଭବାନୀପାଟନା, ୦୫/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭାରତରେ ଗୁରୁ ଶିଷ୍ୟ ପରମ୍ପରା ବହୁ ପ୍ରାଚୀନ | ଗୁରୁ ସର୍ବଦା ଆଲୋକ ବର୍ତ୍ତିକା ସାଜି ଶିଷ୍ୟଙ୍କୁ ଉଚିତ ମାର୍ଗ ଦର୍ଶନ ପୂର୍ବକ ଜୀବନରେ ଭଲ ମଣିଷ ରୂପେ ଗଢି ତୋଳିଥାନ୍ତି | ଏଣୁ ଏହି ପବିତ୍ର ସମ୍ପର୍କ ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଭବାନୀପାଟନା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ପବିତ୍ର ଗୁରୁ ଦିବସ ଅବସରରେ ‘ଗୁରୁତ୍ସବ ୨୦୨୬ ‘ ପାଳିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁରୁ ଶ୍ରୀ ମଧୁସୂଦନ ମହାପାତ୍ର ଅବସରପ୍ପ୍ରାପ୍ତ ଶିକ୍ଷକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ , ଡି ରାମ କୁମାର , ଉଭୟ ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା , ଡ଼ି ପଦ୍ମିନୀ , ସମସ୍ତ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଯୋଗଦେଇଥିଲେ | ଅନୁଷ୍ଠାନ ତରଫରୁ ଗୁରୁ ଶ୍ରୀ ମଧୁସୂଦନ ମହାପାତ୍ରଙ୍କୁ ତାଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ପାଦ ପ୍ରକ୍ଷାଳନ ପୂର୍ବକ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା |ଏହି ଅବସରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା | ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା ସ୍ଵାଗତ ବକ୍ତବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ମୁଖ୍ୟ ପ୍ରସାଶକ ଯୁବରାଜ ନାୟକ ମାନପତ୍ର ପାଠ କରିଥିଲେ | ଅତିଥି ଗଣ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ସମ୍ପର୍କର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିବା ସହ ମାର୍ଗ ଦର୍ଶନ କରାଇଥିଲେ | ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ଓ ତାଙ୍କ ଦୀର୍ଘ ଦିନର ଶିକ୍ଷା ଜୀବନରେ ଘଟିଥିବା ଘଟଣାର ଅବତାରଣା କରିବା ସହ ଛାତ୍ରଛାତ୍ରୀଙ୍କୁ ସଦୁପୋଦେଶ ପ୍ରଦାନ କରିଥିଲେ | ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ପରେପରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା |
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପଖଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
