ଖରସ୍ରୋତା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବିଂଝାରପୁର, ୦୬/୦୯ (ପ୍ରଦୀପ କୁମାର ମଲ୍ଲିକ) : ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବାଗତ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା | ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ କୈଳାଶ ଚନ୍ଦ୍ର ମିଶ୍ର ଉତ୍ସବରେ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ଯୋଗଦେଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୃଙ୍ଖଳା, ଅଧ୍ୟବସାୟ ଓ ନିଷ୍ଠାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଅଧ୍ୟାପିକା ମମତାମୟୀ ସାମଲ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମଲ, ବିଜୟ କୁମାର ପତି, ମୀନକେତନ ତ୍ରିପାଠୀ, ଗଗନ ବିହାରୀ ବେହେରା, ଅଧ୍ୟାପିକା ରୂପାଲୀ ମହାରଣା ପ୍ରମୁଖ ନବାଗତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। ଶିକ୍ଷାଜୀବନରେ ନିୟମିତତା, ଶୃଙ୍ଖଳା ଓ ନିଜ ଲକ୍ଷ୍ୟ ପ୍ରତି ସଚେତନ ରହିବାକୁ ସେମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ, ଅରୁଣ କୁମାର ସାମଲ, ଦେବବ୍ରତ ଧଳ, ଅମ୍ବିକା ପ୍ରସାଦ ଜେନା, ନୀଳମଣି ମଲ୍ଲିକ, ଦୀପ୍ତି ରଂଜନ ସେନାପତି, ସତ୍ୟବ୍ରତ ସେଠୀ, ବିବେକ ମେହେର, ଅଧ୍ୟାପକ ରୂବୀ ଏକା, ଝରଣା ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ବାଣିଜ୍ୟ ବିଭାଗର ଅଧ୍ୟାପକ ପାଣ୍ଡବ ଚରଣ ସେଠୀ ଓ ସତ୍ୟନାରାୟଣ ଗୁପ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଅଧ୍ୟାପକ ଚିତ୍ତରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରିଥିଲା। ଫଳରେ ସମଗ୍ର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବଟି ଆନନ୍ଦମୁଖର ଓ ମନମୁଗ୍ଧକର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।