ଗୁରୁଦିବସ ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନ
ଲଇକେରା, ୦୫/୦୯ ( ନବଦୂତ ) : ପବିତ୍ର ଗୁରୁ ଦିବସ ଅବସରରେ ସାହାସପୁର ସ୍ଥିତ ଜବ୍ ଓରିଏଣ୍ଟେଡ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ଓ ଗରିମାମୟ କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି ।ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ସ୍ମରଣ କରି ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବାରିକ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଉପଢୈାକନ ପ୍ରଦାନ କରି ସମ୍ମାନିତ କରିଥିଲେ ।ଏହି ଅବସରରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କୁବେର ଚୈାଧୁରୀ, ଅବସରପ୍ରାପ୍ତ ଶିକ୍ଷକ କୁଳମଣୀ ପଟେଲ ଓ ଦୈାଲତ ଦାସ ଉପସ୍ଥିତ ରହି ଗୁରୁ ଦିବସର ମହତ୍ତ୍ୱ ଉପରେ ନିଜ ମତାମତ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ସାହାସପୁର କ୍ଳଷ୍ଟରର ସିଆରସିସି ପ୍ରଦୀପ ନାଏକ ଏବଂ ବିଦ୍ୟାଳୟର ଏସ୍.ଏମ.ସି ଅଧ୍ୟକ୍ଷ ଲେଲିନ କୁମାର ପଟେଲ ମଧ୍ୟ ଯୋଗଦେଇ ଶିକ୍ଷକମାନଙ୍କ ଅବଦାନ ଓ ତ୍ୟାଗକୁ ପ୍ରଶଂସା କରିଥିଲେ ।ଶିକ୍ଷକମାନେ ସମାଜ ଗଠନର ମୂଖ୍ୟ କର୍ଣ୍ଣଧାର, ସୁତ୍ରଧାର ଏବଂ ଛାତ୍ରଛାତ୍ରୀ ଜୀବନକୁ ସଠିକ୍ ଦିଗଦର୍ଶନ ଦେବାରେ ସେମାନଙ୍କ ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରିବାର ମାଧ୍ୟମରେ ବିଦ୍ୟାଳୟ ପକ୍ଷରୁ ସେମାନଙ୍କ ଦୀର୍ଘଦିନର ଶିକ୍ଷାଦାନ ଓ ସମାଜସେବା ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା ।