Hot Posts

6/recent/ticker-posts

ଗୁରୁଦିବସ ଉତ୍ସବ ପାଳିତ

ଜୟପୁର, ୦୫/୦୯ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବି. ସିମାଦ୍ରୀ ଆପନ୍ନା । ସେହିପରି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା, ସଂପାଦକ ଶ୍ରୀଯୁକ୍ତ ବିଜୟ କୁମାର ଭଟ୍ଟ, ସଦସ୍ୟା ଶ୍ରୀମତୀ ସୁସ୍ମିତା ଦାସ ମଧ୍ୟ ଯୋଗ ଦେଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଶିଶୁ ଭଉଣୀ ସୁଶ୍ରୀ ଆରାଧନା ସାହୁ ଏବଂ ସୁଶ୍ରୀ ଅନନ୍ୟା ତ୍ରିପାଠୀଙ୍କ ଦ୍ୱାରା ଗୁରୁଦିବସର ମହତ୍ତ୍ୱ ବିଷୟରେ ଅଭିଭାଷଣ ଶୁଣିବାକୁ ମିଳିଥିଲା । ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ମାଧ୍ୟମରେ ଗୁରୁ, ଗୁରୁଭକ୍ତି, ପିତାମାତା, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣର ମହତ୍ତ୍ୱ ବିଷୟରେ ଶିଶୁଙ୍କୁ ଜଣାଇଥିଲେ । ସେ ଆବାହମାନ କାଳରୁ ଚଳିଆସିଥିବା ଗୁରୁ-ଶିଷ୍ୟ ସଂପର୍କ ଏବଂ ଗୁରୁଙ୍କ ଆଶୀର୍ବାଦ ଶିଷ୍ୟପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ଭାଷଣରେ ଶିଶୁଙ୍କୁ କହିବା ସହ ସମସ୍ତ ଶିଶୁଙ୍କୁ ଆଗକୁ ବଡିବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶିଶୁମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମାମାନଙ୍କୁ ବନ୍ଦନା କରାଯାଇ ଚନ୍ଦନ ଲଗାଯାଇ, ପୁଷ୍ପଗୁଚ୍ଛ ପ୍ରଦାନ କରି ଶିଶୁମାନେ ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ମହାପାତ୍ର ସଂପାଦନ କରିଥିବା ବେଳେ, ଗୁରୁମା ଶ୍ରୀମତୀ ସରୋଜିନୀ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳତାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ତଥା ସମସ୍ତ ସେବାବ୍ରତୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।