Hot Posts

6/recent/ticker-posts

ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, ୧୧/୦୯ ( ଜଗଦିଶ ମେହେର ) : ଆଜି ଅପରାହ୍ନ ୪ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଭାରପ୍ରାପ୍ତ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ବୈଠକରେ ଉପସ୍ଥିତ ରହି ଜିଲ୍ଲାର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ସୁବିଧା ଓ ଉନ୍ନତି ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କର ଦାୟିତ୍ୱ ଏବଂ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବିଭିନ୍ନ ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇ ସେଗୁଡ଼ିକର ସମାଧାନ ଓ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଲିଫ୍ଟ ଓ ରାମ୍ପ ବ୍ୟବସ୍ଥା କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏଥିସହିତ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ସମ୍ପର୍କରେ ଘରକୁ ଘର ସଚେତନତା ସୃଷ୍ଟି କରିବାକୁ ଆଲୋଚନା କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଦିବ୍ୟାଙ୍ଗ କର୍ମଚାରୀମାନଙ୍କ ପ୍ରତି ସ୍ୱତନ୍ତ୍ର ଯତ୍ନ ନେବାକୁ କୁହାଯାଇଥିଲା। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ କରିବା ସହ ସେମାନଙ୍କ ପ୍ରତି କୌଣସି ଅପରାଧ ଘଟିଲେ ଶୀଘ୍ର ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ ରାମ୍ପ ନିର୍ମାଣ କରିବା ନେଇ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜିଲ୍ଲାରେ ୩୦୯ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏଥିସହିତ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ୧,୯୮୩ ଜଣ ବିବିଏସ୍ ଶିବିରର ସୁବିଧା ଗ୍ରହଣ କରିଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଉଷାରାଣୀ ଦାସ ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ସରଙ୍ଗୀ ବୈଠକକୁ ପରିଚାଳନା କରିଥିଲେ। ବୈଠକରେ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।