ବନ୍ୟା ପୀଡ଼ିତଙ୍କ ପାଖରେ ‘ଆଶାର ଆଲୋକ’ ବିପଦରେ ସାଥୀ ହେଲା ଆଶା ସ୍ବେଚ୍ଛାସେବୀ ସଂଗଠନ।
ବାଲେଶ୍ଵର, ୦୪/୦୯ ( ପ୍ରଭାକର ମଲ୍ଲିକ ) : ବନ୍ୟାରେ ଅସହାୟ ହୋଇପଡ଼ିଥିବା ପରିବାରଙ୍କ ପାଖରେ ଠିଆ ହୋଇ ମାନବିକତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି ଆଶା ସ୍ବେଚ୍ଛାସେବୀ ସଂଗଠନ। ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଳି ଗ୍ରାମ ପଞ୍ଚାୟତର ଗିଲାଜୁଡ଼ି ଗ୍ରାମ ଏବଂ ନବରା ଗ୍ରାମପଞ୍ଚାୟତର ଜମାଲପୁର ଗ୍ରାମର ପ୍ରାୟ ୧୨୦ରୁ ୧୩୦ଟି ବନ୍ୟା ପ୍ରଭାବିତ ପରିବାରଙ୍କୁ ‘ଆଶାର ଆଲୋକ’ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।ଆଶା ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ଡକ୍ଟର ଅମର କୁମାର ପାଳଙ୍କ ନେତୃତ୍ୱରେ ଏହି ସେବା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସଂଗଠନର ଶିକ୍ଷା, ଦିବ୍ୟାଙ୍ଗ ପୁନର୍ବାସନ, ଥେରାପି ଓ ଚିକିତ୍ସା ସହାୟତା, ବୃଦ୍ଧ ସେବା, ଦକ୍ଷତା ବିକାଶ, ସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ ସେବା ସହିତ ‘ଆଶାର ଆଲୋକ’ ମାଧ୍ୟମରେ ଅସହାୟ ଲୋକଙ୍କ ଜୀବନରେ ଆଶା ଓ ସାହସ ଜଗାଇବାର ପ୍ରୟାସ ଜାରି ରହିଛି।ଏହି ପ୍ରୟାସ କେବଳ ଖାଦ୍ୟ ବଣ୍ଟନରେ ସୀମିତ ନୁହେଁ। ବିପଦ ସମୟରେ ଲୋକଙ୍କ ଦୁଃଖକୁ ଅନୁଭବ କରିବା, ଆବଶ୍ୟକତା ଚିହ୍ନଟ କରିବା ଏବଂ ଅସହାୟ ପରିବାରଙ୍କ ମନରେ ପୁଣିଥରେ ଆଶାର ଆଲୋକ ଜଳାଇବା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।ଏହି ସେବା କାର୍ଯ୍ୟକୁ ସଫଳ କରିବାରେ ଆଶା ପରିବାରର ସଦସ୍ୟମାନଙ୍କର ଏକତା, ସମର୍ପଣ ଓ ନିଷ୍ଠା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଡକ୍ଟର ଅମର କୁମାର ପାଳ, ମଞ୍ଜୁବତୀ ବିଶ୍ୱାଳ, ସନ୍ଧ୍ୟାରାଣୀ ବିଶ୍ୱାଳ, ରାଜେଶ ସାହୁ, ବିପ୍ଲବ ଭୂୟାଁ, ଅମର ମହାରଣା, ଶମ୍ଭୁନାଥ ଜେନା, ସୁମନା ପରିଡ଼ା, ପଞ୍ଚାନନ ବେହେରା, ଅଜୟ କୁମାର ଦଳାଇ, ଏ.ଏମ. ପ୍ରଜ୍ଞା ପ୍ରକାଶ ପାଳ, ବିକାଶ ଜେନା, ଅଶୋକ କୁମାର ବେହେରା ଓ ଅଶୋକ କୁମାର ସେନାପତିଙ୍କ ସମର୍ପିତ ସହଯୋଗ ରେ ଏହି ମାନବିକ ପ୍ରୟାସ ସଫଳ ହୋଇଛି।ଏହି ସଫଳତା କେବଳ ଜଣଙ୍କର ନୁହେଁ,ଏହା ସମଗ୍ର ଆଶା ପରିବାରର ସମର୍ପଣ ର ଫଳ। ଏକାଠି ହୋଇ ଆମେ କେବଳ ଏକ ସେବା କାର୍ଯ୍ୟ କରିନାହୁଁ, ଆମେ ମିଶିକରି ଅନେକ ଜୀବନରେ ଆଶାର ଆଲୋକ ଜଳାଇଛୁ। ‘ଆଶାର ଆଲୋକ’ ଆଗାମୀ ଦିନରେ ମଧ୍ୟ ଅସହାୟ, ନିରାଶ୍ରୟ ଓ ବିପଦଗ୍ରସ୍ତ ଲୋକଙ୍କ ପାଖରେ ଠିଆ ହେବାର ସଂକଳ୍ପ ସହିତ ଆଗେଇ ଚାଲିବ।ଦାନ ନୁହେଁ, ଏକ ନୂଆ ଆଶା | ବିପଦରେ ସାଥୀ, ସେବାରେ ଆଶା — ଏହା ହିଁ ଆମର ପ୍ରତିବଦ୍ଧତା ବୋଲି ଶ୍ରୀ ପାଲ କହିଛନ୍ତି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l