ନୂଆପଡ଼ାରେ ଦିବ୍ୟାଙ୍ଗ ଜୀବିକା ସହାୟତାର ଦ୍ୱିତୀୟ କିସ୍ତି ପ୍ରଦାନ, ୭୫ ଜଣ ହିତାଧିକାରୀଙ୍କୁ ୩.୭୫ ଲକ୍ଷ ଟଙ୍କାର ସହାୟତା
ନୂଆପଡ଼ା, ୨୦/୦୯ ( ପରମେଶ୍ୱର ମେହେର ) : ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ଜଣ ହିତାଧିକାରୀଙ୍କୁ ଜୀବିକା ସହାୟତାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ମୋଟ ୩ ଲକ୍ଷ ୭୫ ହଜାର ଟଙ୍କା ବଣ୍ଟନ କରାଯାଇଛି। ଏହି ସହାୟତା ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ସହ ଛୋଟ ଆୟବର୍ଦ୍ଧକ କାର୍ଯ୍ୟ ଆରମ୍ଭ କରି ନିଜର ଆର୍ଥିକ ସ୍ୱାବଲମ୍ବନ ବଢ଼ାଇପାରିବେ। ଦିବ୍ୟାଙ୍ଗଜନଙ୍କ କଲ୍ୟାଣ, ସାମାଜିକ ସୁରକ୍ଷା ଓ ପୁନର୍ବାସନ ପାଇଁ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ। ସହାୟତା ପାଇଥିବା ହିତାଧିକାରୀମାନେ ଏଥିପାଇଁ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇବା ସହ ଏହି ସହାୟତା ସେମାନଙ୍କୁ ନିଜ ଜୀବିକାକୁ ଆଗକୁ ବଢ଼ାଇବାରେ ଓ ସମ୍ମାନର ସହିତ ଜୀବନଯାପନ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି।