ଜୟପୁରରେ ଗଜାନନଙ୍କ ନିଆରା ଦର୍ଶନ |
ଜୟପୁର, ୧୮/୦୯ ( ଏ. ଭେଙ୍କଟ ରାଓ ) : ଜୟପୁରରେ ଗଣେଶ ପୂଜାକୁ ନେଇ ଉତ୍ସବର ମାହୋଲ । ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ଗଜାନନ । କେଉଁଠି ଖଜୁରୀରେ ନିର୍ମିତ ମୂର୍ତ୍ତି, ତ ଆଉ କେଉଁଠି ରୁଦ୍ରାକ୍ଷରେ ସଜେଇଛନ୍ତି ବିଘ୍ନହର୍ତ୍ତାଙ୍କୁ । ନିଆରା ସାଜସଜ୍ଜା ସାଙ୍ଗକୁ ଭକ୍ତିମୟ ପରିବେଶ । ଆସନ୍ତୁ ଦେଖିବା ଜୟପୁରରେ ଗଜାନନଙ୍କ ନିଆରା ଦର୍ଶନ ।ଜୟପୁର ମିଲ୍ ଷ୍ଟ୍ରିଟ୍ରେ ନିଆରା ରୂପରେ ଦର୍ଶନ ଦେଉଛନ୍ତି ଗଜାନନ । ୩୫ କିଲୋରୁ ଅଧିକ ଖଜୁରୀରେ ନିର୍ମିତ ହୋଇଛି ଗଣେଶଙ୍କ ମୂର୍ତ୍ତି । ଦୀର୍ଘ ୨୬ ବର୍ଷ ଧରି ଏହି ସାହିବାସିନ୍ଦାମାନେ ଗଣେଶ ପୂଜା କରିଆସୁଛନ୍ତି ।ସେହିଭଳି ଜୟପୁର ସାମନ୍ତରା ସାହିରେ ମଧ୍ୟ ନିଆରା ସାଜସଜ୍ଜା । ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱରଙ୍କ ଧାମର ଅବିକଳ ରୂପରେ ସଜାଯାଇଛି ପୂଜା ମଣ୍ଡପ । ଯାହା ଭକ୍ତଙ୍କୁ ଆକୃଷ୍ଟ କରୁଛି ।ଜୟପୁର ସୌରା ସାହିରେ ରୁଦ୍ରାକ୍ଷରେ ନିର୍ମିତ ହୋଇଛି ଗଜାନନଙ୍କ ମୂର୍ତ୍ତି । ୨୨ ହଜାରରୁ ଅଧିକ ପଞ୍ଚମୁଖୀ ରୁଦ୍ରାକ୍ଷରେ ଏହି ମୂର୍ତ୍ତିକୁ ପ୍ରସ୍ତୁତ କରାଯାଇଛି । ଭକ୍ତଙ୍କୁ ମଧ୍ୟ ପଞ୍ଚମୁଖୀ ରୁଦ୍ରାକ୍ଷ ଭେଟି ଦିଆଯାଉଛି ।ଏଠାରେ ପ୍ରସ୍ତୁତ ହୋଇଛି ୨୧ କିଲୋର ବିଶାଳ ଲଡୁ । ଲଡୁ ପାଇଁ କୁପନ୍ ବ୍ୟବସ୍ଥା କରାଯାଇଛି । ପୂଜା ଶେଷ ଦିନ ଲଟେରୀ ମାଧ୍ୟମରେ ଭକ୍ତଙ୍କୁ ଏହି ଲଡୁ ପ୍ରଦାନ କରାଯିବ ।ଜୟପୁରର ବିଭିନ୍ନ ପୂଜା ମଣ୍ଡପରେ ଗଜାନନଙ୍କ ଏହି ନିଆରା ରୂପ ଏବେ ଭକ୍ତଙ୍କ ମନ ମୋହୁଛି । ଭକ୍ତି, ପରମ୍ପରା ଓ ସୃଜନଶୀଳତାର ଏହି ଅନନ୍ୟ ସମନ୍ୱୟ ଗଣେଶ ପୂଜାକୁ କରିଛି ଆହୁରି ଆକର୍ଷଣୀୟ ।