ନୂଆପଡ଼ାରେ ଉତ୍ସାହର ସହ ଅନୁଷ୍ଠିତ ହେଲା ଉଲ୍ଲାସ ସାକ୍ଷରତା ପରୀକ୍ଷା
ନୂଆପଡ଼ା, ୨୦/୦୯ ( ପରମେଶ୍ୱର ମେହେର ) : ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (NILP-ULLAS) ଅନ୍ତର୍ଗତ ସାକ୍ଷରତା ପରୀକ୍ଷା ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ଗ୍ରାମର ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇଥିଲା। ଚଳିତ ବର୍ଷ ଜିଲ୍ଲାରେ ପଞ୍ଜୀକୃତ ମୋଟ ୧୨,୦୦୦ ଜଣ ନୂତନ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୧୦,୨୫୦ ଜଣ ଶିକ୍ଷାର୍ଥୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସାକ୍ଷରତା ପରୀକ୍ଷା ଦେଇଥିଲେ। ଏଥିରେ ଉଭୟ ମହିଳା ଓ ପୁରୁଷ ଶିକ୍ଷାର୍ଥୀ ସାମିଲ ହୋଇଥିଲେ। ୧୮ରୁ ୬୦ ବର୍ଷ ବୟସର ଶିକ୍ଷାର୍ଥୀମାନଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ଜିଲ୍ଲାରେ ପ୍ରାପ୍ତବୟସ୍କ ସାକ୍ଷରତା ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହକୁ ପ୍ରତିଫଳିତ କରିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ମନିଟରିଂ ଦଳ ସମଗ୍ର ପରୀକ୍ଷା ପ୍ରକ୍ରିୟାର ନିରୀକ୍ଷଣ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାୟକଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO) ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷାର ସୁପରିଚାଳନା ସୁନିଶ୍ଚିତ କରିଥିଲେ। ଜିଲ୍ଲାର ସମସ୍ତ CRCCଙ୍କୁ ନିଜ ନିଜ କ୍ଲଷ୍ଟରରେ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉଲ୍ଲାସ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ପ୍ରାପ୍ତବୟସ୍କ ସାକ୍ଷରତାର ପ୍ରସାର ଏବଂ ଶିକ୍ଷାର ସାର୍ବଜନୀନକରଣ ଦିଗରେ ଏହି ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷକ, ସ୍ୱେଚ୍ଛାସେବୀ, ମନିଟରିଂ ଟିମ୍ ଏବଂ ନୂତନ ଶିକ୍ଷାର୍ଥୀଙ୍କୁ କୃତଜ୍ଞତା ଜଣାଯାଇଛି।