Hot Posts

6/recent/ticker-posts

“ବାଜାବାଣରେ କମ୍ପିଲା ଗାଁ, ନାଚଗୀତରେ ଗଣେଶଙ୍କୁ ବିଦାୟ”

ଝରିଗାଁ, ୧୮/୦୯ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମରେ ପାଞ୍ଚ ଦିନ ଧରି ଚାଲିଥିବା ଗଣେଶ ପୂଜାର ଭସାଣି ଉତ୍ସବ ଶୁକ୍ରବାର ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ଗଣେଶଙ୍କୁ ବିଦାୟ ଦେବା ଅବସରରେ ଗ୍ରାମରେ ଦିନତମାମ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ପାଞ୍ଚ ଦିନ ଧରି ପୂଜାମଣ୍ଡପରେ ପୂଜାର୍ଚ୍ଚନା ପରେ ଶୁକ୍ରବାର ଗଣେଶଙ୍କ ଭସାଣି ପାଇଁ ପ୍ରସ୍ତୁତି କରାଯାଇଥିଲା। ଏଥିରେ ଗ୍ରାମର ଶତାଧିକ ଲୋକ ସାମିଲ ହୋଇଥିଲେ। ମହିଳା, ପୁରୁଷ, ଯୁବକ ଓ ଯୁବତୀମାନେ ନାଚଗୀତରେ ସାମିଲ ହୋଇ ଗଣେଶଙ୍କୁ ବିଦାୟ ଦେଇଥିଲେ। ବାଜାବାଣର ତାଳେ ତାଳେ ନାଚ ଗୀତ ସହିତ ଗଣେଶଙ୍କ ମୂର୍ତ୍ତିକୁ ଗ୍ରାମର ବିଭିନ୍ନ ସାହି ଓ ଗଳିରେ ପରିକ୍ରମା କରାଯାଇଥିଲା। ନାଚଗୀତରେ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇଉଠିଥିବା ବେଳେ ବାଜାର ଶବ୍ଦରେ ଗାଁ ଓ ଏହାର ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା। ଭସାଣି ଶୋଭାଯାତ୍ରାରେ ଯୁବପିଢ଼ିଙ୍କ ସହ ଗ୍ରାମର ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇଥିଲେ। ଏହି ଅବସରରେ ଗଣେଶଙ୍କ ଦର୍ଶନ ପାଇଁ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା। ଭସାଣି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ। ସଂଘ ପକ୍ଷରୁ ଗ୍ରାମବାସୀ ଓ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ଭକ୍ତି ଓ ଉତ୍ସବର ପରିବେଶ ମଧ୍ୟରେ ଗଣେଶଙ୍କ ମୂର୍ତ୍ତିକୁ ଭସାଣି ପାଇଁ ନିଆଯାଇଥିଲା। ଆସନ୍ତା ବର୍ଷ ପୁଣି ଗଣେଶଙ୍କ ଆଗମନର ଆଶା ରଖି ଗ୍ରାମବାସୀ ଭକ୍ତିଭାବରେ ବିଦାୟ ଦେଇଥିଲେ।