ଥୁଆମୂଳ ରାମପୁର, ୨୫/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଲଗାଣ ବର୍ଷାରେ ଭୁଷୁଡ଼ିଲା ଘର। ଅଳ୍ପକେ ଅଘଟଣରୁ ବର୍ତ୍ତିଲେ ବୃଦ୍ଧ ଦମ୍ପତି। ଏବେ ଭଙ୍ଗା ଘର ଭିତରେ ବିକଳ ଅବସ୍ଥାରେ ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧ ଦମ୍ପତି। ଏଭଳି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରୁ। ଲଗାଣ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭୁଷୁଡ଼ିବା ଘଟଣା ସାମ୍ନାକୁ ଆସିଛି। କର୍ଲାପାଟ ପଞ୍ଚାୟତ ଅନ୍ତର୍ଗତ କୁକୁରଭୂର୍ସି ଗ୍ରାମର କୁଲି ମାଝୀ ଓ ତାଙ୍କ ସ୍ତ୍ରୀ କମଳା ମାଝୀଙ୍କ ଘର ମଧ୍ୟ ଗତ ରାତିରେ ଭୁଷୁଡ଼ି ପଡ଼ିଛି। ଘର ଭୁଷୁଡ଼ିବା ସମୟରେ ଦମ୍ପତି ଘର ଭିତରେ ଥିଲେ। ତେବେ ଅଳ୍ପକେ ଅଘଟଣରୁ ବର୍ତ୍ତିଯାଇଛନ୍ତି। କୁଲି ମାଝୀ ଓ କମଳା ମାଝୀଙ୍କ ବୟସ ୬୧ ବର୍ଷ। ବୃଦ୍ଧାବସ୍ଥାରେ ମଧ୍ୟ ଏହି ଦମ୍ପତି ସରକାରୀ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଘର ଭୁଷୁଡ଼ିଯିବା ପରେ ଏବେ ଆଶ୍ରୟ ପାଇଁ ଅସହାୟ ହୋଇପଡ଼ିଛନ୍ତି ବୃଦ୍ଧ ଦମ୍ପତି। ଗରିବ ଓ ନିରାଶ୍ରୟ ଦମ୍ପତିଙ୍କୁ ପ୍ରଶାସନ ପକ୍ଷରୁ କେବେ ଘର ଓ ଅନ୍ୟାନ୍ୟ ସରକାରୀ ସହାୟତା ମିଳିବ, ତାହାକୁ ଅପେକ୍ଷା କରିଛନ୍ତି ପରିବାର। ଲଗାଣ ବର୍ଷାରେ ଘର ଭୁଷୁଡ଼ିବା ପରେ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

