Hot Posts

6/recent/ticker-posts

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର, ଦୀର୍ଘ ସମୟ ପଡ଼ି ରହିଲେ ହସ୍ପିଟାଲରେ

ନୂଆପଡ଼ା, ୧୮/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ନେଇ ଅଭିଯୋଗ ଉଠିଛି। ଗୁରୁବାର ବିଜୁ ଏକ୍ସପ୍ରେସ ୱେରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବାବେଳେ, ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସେବା ମିଳିନଥିବା ଅଭିଯୋଗ ହୋଇଛି। ଫଳରେ ଆହତ ଯୁବକଙ୍କୁ ଦୀର୍ଘ ସମୟ ଧରି ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ସିନାପାଲି ମାଝୀପଡ଼ାର ହରେ ମାଝୀ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ସେ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ, ଅଭିଯୋଗ ଅନୁସାରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚିନଥିଲା। ସିନାପାଲି ଅଞ୍ଚଳରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ସୂଚନା ମିଳିଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ନମିଳିବାରୁ ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ହରେ ମାଝୀଙ୍କୁ ଏକ ବାଇକ୍ ଯୋଗେ ସିନାପାଲି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଥିଲା। ତାଙ୍କର ରେଫରାଲ୍ ନମ୍ବର ୬୦୦୨ ବୋଲି ଜଣାପଡ଼ିଛି। କିନ୍ତୁ ରେଫର୍ ପରେ ମଧ୍ୟ ଆମ୍ବୁଲାନ୍ସ ସୁବିଧା ମିଳିନଥିବାରୁ ସେ ଦୀର୍ଘ ସମୟ ଧରି ସିନାପାଲି ହସ୍ପିଟାଲରେ ପଡ଼ି ରହିଥିବା ଅଭିଯୋଗ ହୋଇଛି। ହରେ ମାଝୀ ଜଣେ ଗରିବ ଖଟିଖିଆ ପରିବାରର ଯୁବକ ହୋଇଥିବାରୁ ଆର୍ଥିକ ସମ୍ବଳ ଅଭାବରେ ପରିବାର ଲୋକେ ଅସୁବିଧାରେ ପଡ଼ିଥିବା କୁହାଯାଉଛି। ଗୁରୁବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ବାସି ପର୍ବ ପାଳନ ହେଉଥିବାରୁ ଯାନବାହାନ ମିଳିବାରେ ସମସ୍ୟା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ଆହତ ଯୁବକଙ୍କୁ ଏକ ଅଟୋ ଯୋଗେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ କିଛି ସମୟ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ହରେ ମାଝୀ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେହିପରି, ଗୁରୁବାର ସିନାପାଲି ବାହାଲପଡ଼ା ଅଞ୍ଚଳରେ ମଧ୍ୟ ଜଣେ ଯୁବକଙ୍କୁ ଜରୁରୀ ଚିକିତ୍ସା ସେବା ମିଳିବାରେ ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ବାହାଲପଡ଼ାର ଧନେଶ୍ୱର ବାଗ ନାମକ ଜଣେ ଯୁବକ ବିଷପାନ କରିଥିବା ଜାଣିବା ପରେ ପରିବାର ଲୋକେ ତାଙ୍କୁ ସିନାପାଲି ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ତେବେ ଆମ୍ବୁଲାନ୍ସ ସୁବିଧା ନମିଳିବାରୁ ପରିବାର ଲୋକେ ଏକ ଘରୋଇ ଗାଡ଼ି ଯୋଗେ ଖଡ଼ିଆଳ ମିଶନ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି। ଏଭଳି ଘଟଣାକୁ ନେଇ ସିନାପାଲି ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବାସ୍ତବ ସ୍ଥିତି ଉପରେ ପ୍ରଶ୍ନ ଉଠିଛି। ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ଚିକିତ୍ସା ଓ ଆମ୍ବୁଲାନ୍ସ ସେବା ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ଅସମୟରେ ରୋଗୀମାନେ ଏହାର ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ ସେବା ନମିଳିବାରୁ ଗରିବ ଓ ଅସହାୟ ପରିବାରଗୁଡ଼ିକ ଅଧିକ ଅସୁବିଧାରେ ପଡ଼ୁଥିବା କୁହାଯାଉଛି। ଅନ୍ୟପକ୍ଷରେ, ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ଡ୍ୟୁଟି ବ୍ୟବସ୍ଥାକୁ ନେଇ ମଧ୍ୟ ଜନସାଧାରଣ ଅଭିଯୋଗ କରିଛନ୍ତି। ହସ୍ପିଟାଲରେ ୯ ଜଣ ଡାକ୍ତର ନିଯୁକ୍ତ ଥିବା ସତ୍ତ୍ୱେ ଦିନକୁ ଜଣେ ମାତ୍ର ଡାକ୍ତର ଡ୍ୟୁଟି କରୁଥିବା ଅଭିଯୋଗ ହୋଇଛି। ଏହା ଫଳରେ ଜରୁରୀ ଚିକିତ୍ସା ସେବା ପ୍ରଭାବିତ ହେଉଥିବା ଏବଂ ରୋଗୀମାନେ ଅସୁବିଧାରେ ପଡ଼ୁଥିବା କୁହାଯାଉଛି। ତେବେ ଏହି ଅଭିଯୋଗଗୁଡ଼ିକ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ। ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା, ଡାକ୍ତରଙ୍କ ଡ୍ୟୁଟି ବ୍ୟବସ୍ଥା ଓ ଜରୁରୀ ଚିକିତ୍ସା ସେବାକୁ ନେଇ ଉଠିଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ଜନସାଧାରଣ ଦାବି କରିଛନ୍ତି। ଏ ଦିଗରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସହ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବାକୁ ସାଧାରଣରେ ଦାବି ହେଉଛି।