ତେନ୍ତୁଳୀଖୁଣ୍ଟି, ୦୨/୦୯ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ପଞ୍ଚାୟତରେ ପ୍ରସ୍ତାବିତ ପରମାଣୁ ପ୍ରକଳ୍ପକୁ ବିରୋଧ କରି ଜିଲ୍ଲା ଆଦିବାସୀ ମଞ୍ଚ ପକ୍ଷରୁ ଏକ ବୈଠକ ଓ ସଚେତନତା ସଭା ଅନୁଷ୍ଠିତ ହୋଇଛି। ପ୍ରସ୍ତାବିତ ପରମାଣୁ ପ୍ରକଳ୍ପ (CNTPC)କୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ, ଏନେଇ ସନ୍ତୋଷଜନକ ଉତ୍ତର ମିଳିନଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ସଂଗଠିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ସଭାରେ ଆଦିବାସୀ ନେତାମାନେ ଅଞ୍ଚଳବାସୀଙ୍କୁ ନିଜ ଅଧିକାର, ସୂଚିତ ଅଞ୍ଚଳର ଆଇନ ଓ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର ସମ୍ପର୍କରେ ସଚେତନ କରିଥିଲେ। “ଜଳ, ଜମି, ଜଙ୍ଗଲ ଆମର ହକ୍—ଛାଡ଼ିବା ନାହିଁ” ନାରା ଦେଇ ଅଞ୍ଚଳବାସୀଙ୍କ ଅଧିକାର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିବାକୁ ଶପଥ ନିଆଯାଇଥିଲା। ପରେ ଆୟୋଜିତ ପ୍ରେସ୍ମିଟ୍ରେ ଆଦିବାସୀଙ୍କ ଅଧିକାର ଓ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସରକାରଙ୍କ ନିକଟରେ ଦୃଢ଼ ଦାବି ଉଠାଯିବ ବୋଲି ନେତାମାନେ କହିଥିଲେ। ଅଞ୍ଚଳବାସୀଙ୍କ ମତାମତ ଓ ଅଧିକାରକୁ ଅଣଦେଖା କରି କୌଣସି ପଦକ୍ଷେପ ନନେବାକୁ ସରକାରଙ୍କୁ ଦାବି କରାଯାଇଥିଲା। ଏହି ଅଧିକାର ସଂଗ୍ରାମୀ ମଞ୍ଚରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜନଜାତି ସୁରକ୍ଷା ମଞ୍ଚର ସଭାପତି ଗୋପୀନାଥ ମାଝୀ, ଘନ ମାଝୀ, ଅର୍ଜୁନ ଭତ୍ରା, ରତନ ମାଝୀ, ଜଗନ ଜାହାନ ନାୟକ, ସୌରା ସମାଜ ସଭାପତି, ଭାଗୀରଥି ରାଜଗଣ୍ଡ, ଆଶାରାମ ହଣ୍ଟାଲ, ବୋଲରାମ ଗଣ୍ଡ, ଆଣବିକ ପ୍ରକଳ୍ପ ବିରୋଧୀ ସଭାପତି ବିଶ୍ୱଜିତ ନାୟକଙ୍କ ସମେତ ସମାଜସେବୀ ଅଖିଳ ଭତ୍ରା, ଭୀମ ପାଣିଗ୍ରାହୀ, ବାବୁଲା ନାୟକ, ସରୋଜ କର୍କରା, ଟଙ୍କଧର ସାନ୍ତା, ମନଶାନ୍ତ, କୁମର ପୁଜାରୀ, ଭୀଷ୍ମ ଜାନି, ଆଲେକ ସିସ ସୁନା, ଭାସ୍କର ଖୁରା, ବିଜୟ କର୍କରାଙ୍କ ସହ ଅଞ୍ଚଳର ବହୁ ଆଣବିକ ପ୍ରକଳ୍ପ ବିରୋଧୀ ସଂଗ୍ରାମୀ ଯୋଗଦେଇଥିଲେ।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l
