କଳାହାଣ୍ଡିରେ ଲଗାଣ ବର୍ଷା | ସଜାଗ ପ୍ରଶାସନ
କଳାହାଣ୍ଡି, ୨୪/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଲଗାଣ ବର୍ଷାକୁ ନେଇ ବଢ଼ିଛି ଚିନ୍ତା । ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ୁଥିବା ବେଳେ ନଦୀକୂଳିଆ ଓ ତଳିଆ ଅଞ୍ଚଳ ଉପରେ ରହିଛି ପ୍ରଶାସନର କଡ଼ା ନଜର । ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ନେଇଛି କଲମପୁର ବ୍ଲକ ପ୍ରଶାସନ । କଲମପୁର ଅଞ୍ଚଳରେ ଗତ ଦୁଇ ଦିନ ହେବ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ସତର୍କ ହୋଇଛି ପ୍ରଶାସନ । ଟେମରା, ବିରିପୁର, ବେଲଛଡ଼ା ଓ ବଙ୍କାପଲା ଭଳି ନଦୀକୂଳିଆ ଏବଂ ତଳିଆ ଅଞ୍ଚଳ ଉପରେ ରହିଛି ପ୍ରଶାସନର ବିଶେଷ ନଜର । ନଦୀର ଜଳସ୍ତର ଆହୁରି ବଢ଼ିଲେ ଏହି ଗାଁଗୁଡ଼ିକର ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଗାଁଗୁଡ଼ିକରେ ଥିବା ୯ ଜଣ ଗର୍ଭବତୀ ମହିଳାଙ୍କୁ ଆଗୁଆ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତାରେ ସେମାନଙ୍କୁ କଲମପୁର CHCରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତରୀ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖିଛନ୍ତି ।