Hot Posts

6/recent/ticker-posts

ଦଶମୀ ତିଥିରେ ଭବାନୀପାଟଣାରେ ନୂଆଁଖାଇ, ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ପରେ ନୂଆଁ ଖାଇଲେ ଗଡ଼ଜାତ ଅଞ୍ଚଳବାସୀ ।

ଭବାନୀପାଟଣା, ୨୧/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡିରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ପାଳିତ ହୁଏ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ତେବେ ଭବାନୀପାଟଣା ସମେତ ମା’ ମାଣିକେଶ୍ୱରୀଙ୍କ ଆରାଧନା କରୁଥିବା ଗଡ଼ଜାତ ଅଞ୍ଚଳରେ ନୂଆଁଖାଇର ରହିଛି ଏକ ସ୍ୱତନ୍ତ୍ର ପରମ୍ପରା । ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଗଡ଼ଜାତ ଅଞ୍ଚଳବାସୀ ପାଳନ କରିଛନ୍ତି ନୂଆଁଖାଇ । ଆରାଧ୍ୟ ଇଷ୍ଟଦେବୀଙ୍କ ନିକଟରେ ନୂଆ ଅମଳର ପ୍ରଥମ ଅନ୍ନ ଅର୍ପଣ କରିବା ପରେ ପରିବାର ଓ ପରିଜନଙ୍କ ସହ ନୂଆଁ ଖାଇଛନ୍ତି ଲୋକେ । ନୂଆଁଖାଇକୁ ନେଇ ମା’ ମାଣିକେଶ୍ୱରୀ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଜମିଥିଲା । ନୂଆ ଚୁଡ଼ା, ପୂଜା ସାମଗ୍ରୀ, ମାଟି ପାତ୍ର, କୁଲା, ଡଲାଠାରୁ ଆରମ୍ଭ କରି ପନିପରିବା ଓ ନୂଆ ପୋଷାକ କିଣାକିଣି ପାଇଁ ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ । ମା’ ମାଣିକେଶ୍ୱରୀଙ୍କ ଆଶ୍ରିତ ଗଡ଼ଜାତ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆଁଖାଇକୁ ନେଇ ପ୍ରବଳ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି । ଇଷ୍ଟଦେବୀଙ୍କୁ ପ୍ରଥମ ଅନ୍ନ ଅର୍ପଣ କରିବା ପରେ ନୂଆଁ ଖାଇବାର ଏହି ପରମ୍ପରା ଆଜି ବି ଭକ୍ତି ଓ ବିଶ୍ୱାସର ସହ ପାଳିତ ହେଉଛି । ନୂଆଁଖାଇ ପାଇଁ ସମଗ୍ର ଭବାନୀପାଟଣା ସହର ସୃଷ୍ଟି କରିଛି ଉତ୍ସବମୁଖର ପରିବେଶ ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ ।