Hot Posts

6/recent/ticker-posts

ମହାବଳୀ ଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, ୦୯/୦୯ ( ଜଗଦିଶ ମେହେର ) : ଆଜି ଅପରାହ୍ନ ୩ଟା ୩୦ ମିନିଟ୍ ସମୟରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ. ସୋମ୍ୟା ରୂପା ରଥଙ୍କ ଅଧ୍ୟକ୍ଷତାରେ ମହାବଳୀ ଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଷ୍ଟଚଣ୍ଡୀ ପୂଜକ ଓ ସେବାୟତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଚଳିତ ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରୁ ନବରାତ୍ରି ଓ ଦଶହରା ପର୍ବର ସମାପ୍ତି ପର୍ଯ୍ୟନ୍ତ ମହାବଳୀ ଯାତ୍ରା ପାଳନ କରାଯିବ। ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁରୂପେ ପାଳନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ପରସ୍ପର ସମନ୍ୱୟ ରଖି ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଡ. ରଥ ଅନୁରୋଧ କରିଥିଲେ। ଯାତ୍ରା ସମୟରେ ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ମୁତୟନ କରାଯିବା ସହ ମଣ୍ଡପ ନିକଟରେ ମଧ୍ୟ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ବୈଠକରେ ସଂସ୍କୃତି ଅଧିକାରୀଙ୍କୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପାଇଁ ଦୁଇଟି ଟ୍ରୁପ୍‌ ଦେବା ପାଇଁ କୁହାଯାଇଥିଲା। ସେହିପରି ପୌରପରିଷଦକୁ ଯାତ୍ରା ସମୟରେ ଆବଶ୍ୟକ ସଫେଇ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଏବଂ ରାସ୍ତା ଓ କୋଠାବାଡ଼ି ବିଭାଗକୁ ଆବଶ୍ୟକ ବ୍ୟାରିକେଡିଂ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ମହାବଳୀ ଯାତ୍ରାକୁ ସୁନ୍ଦର, ଶୃଙ୍ଖଳିତ ଓ ସ୍ମରଣୀୟ ଭାବେ ପାଳନ କରିବା ପାଇଁ ସମସ୍ତ ସେବାୟତ ଓ ସମ୍ପୃକ୍ତ ବିଭାଗ ଆଗେଇ ଆସି ପୂର୍ଣ୍ଣ ସହଯୋଗ କରିବାକୁ ଡ. ରଥ ଆହ୍ୱାନ କରିଥିଲେ।