ନୂଆପଡ଼ାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ଓ ସୁରକ୍ଷା ସମୀକ୍ଷା:ବର୍ଜ୍ୟ ପରିଚାଳନା ଓ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା’ ଅଭିଯାନକୁ ଜାତୀୟ ସ୍ତରରେ ପ୍ରଶଂସା
ନୂଆପଡ଼ା, ୧୧/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାରେ ସଫେଇ କର୍ମଚାରୀଙ୍କ କଲ୍ୟାଣ, ସୁରକ୍ଷା, ନିୟମିତ ପାରିଶ୍ରମିକ ପ୍ରଦାନ ଓ ସ୍ୱଚ୍ଛତା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଜାତୀୟ ସଫେଇ କର୍ମଚାରୀ କମିଶନର ଉପାଧ୍ୟକ୍ଷ ଶ୍ରୀ କୈସନ ବିହାରୀ ନୂଆପଡ଼ା ଗସ୍ତ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପ୍ରାୟ ୩୫ ଜଣ ସଫେଇ କର୍ମଚାରୀ ଯୋଗଦେଇ ନିଜର କାର୍ଯ୍ୟାନୁଭୂତି, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଉପାଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ସଫେଇ କର୍ମଚାରୀମାନେ ସହର ଓ ଗ୍ରାମାଞ୍ଚଳର ସ୍ୱଚ୍ଛତା ବ୍ୟବସ୍ଥାର ମେରୁଦଣ୍ଡ ବୋଲି ଉଲ୍ଲେଖ କରି ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ସେମାନଙ୍କ ସମ୍ମାନ, ସୁରକ୍ଷା ଓ ସାମାଜିକ ମର୍ଯ୍ୟାଦା ପ୍ରତି ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ସଫେଇ କର୍ମଚାରୀଙ୍କୁ ନିୟମିତ ଭାବେ ପାରିଶ୍ରମିକ ପ୍ରଦାନ ସହ ସେମାନଙ୍କ କାର୍ଯ୍ୟସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ସୁରକ୍ଷା ସାମଗ୍ରୀ ଓ ମାନବିକ କାର୍ଯ୍ୟପରିବେଶ ସୁନିଶ୍ଚିତ କରିବା ପ୍ରତି ପ୍ରଶାସନର ଆଭିମୁଖ୍ୟ ସମ୍ପର୍କରେ ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉପାଧ୍ୟକ୍ଷ ଶ୍ରୀ କୈସନ ବିହାରୀ ସଫେଇ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ କାର୍ଯ୍ୟସ୍ଥଳୀୟ ସମସ୍ୟା, ସୁରକ୍ଷା ଓ କଲ୍ୟାଣମୂଳକ ବିଷୟଗୁଡ଼ିକର ସୂଚନା ନେଇଥିଲେ। ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ଅଧିକାର ସୁରକ୍ଷିତ ରଖିବା ସହ ସେମାନଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସେ ଆଶ୍ୱାସନ ଦେଇଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଉଥିବା ବର୍ଜ୍ୟ ପରିଚାଳନା ଓ ସ୍ୱଚ୍ଛତାମୂଳକ ପଦକ୍ଷେପକୁ ଉପାଧ୍ୟକ୍ଷ ଶ୍ରୀ ବିହାରୀ ପ୍ରଶଂସା କରିବା ସହ ଏଥିପ୍ରତି ଗଭୀର ସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ଜିଲ୍ଲାର ଅଭିନବ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ’ ଅଭିଯାନକୁ ସେ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଅଭିହିତ କରିଥିଲେ। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ହ୍ରାସ, ବର୍ଜ୍ୟର ଉତ୍ସ ସ୍ଥଳୀୟ ପୃଥକୀକରଣ, ସ୍ୱଚ୍ଛତା ପ୍ରତି ଜନସଚେତନତା ଓ ସମୁଦାୟର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ନୂଆପଡ଼ା ପ୍ରଶାସନ ଗଢ଼ି ତୋଳୁଥିବା ସ୍ୱଚ୍ଛତାର ନୂତନ ମଡେଲକୁ ସେ ପ୍ରଶଂସା କରିଥିଲେ। ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏହା ସମଗ୍ର ସମାଜର ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନର ‘Minimum Enforcement, Maximum Sensitization’ ଆଭିମୁଖ୍ୟ ଅନୁସାରେ ସଚେତନତା, ଜନସହଭାଗିତା ଓ ସମୁଦାୟର ମାଲିକାନା ଭାବନାକୁ ଗୁରୁତ୍ୱ ଦିଆଯାଉଥିବାରୁ ଅଭିଯାନଟି ଅଧିକ ପ୍ରଭାବଶାଳୀ ହୋଇପାରିଛି ବୋଲି ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ରଇତ, କାର୍ଯ୍ୟକ୍ରମର ସଂଯୋଜକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରାକର, ନୂଆପଡ଼ା , ଜିଲ୍ଲାର ସମସ୍ତ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଡିଓ ନୂଆପଡ଼ା, ସମସ୍ତ ସାନିଟେସନ ଏକ୍ସପର୍ଟ ଓ ବି ଆର ସି ନୂଆପଡ଼ା ଉପସ୍ଥିତ ଥିଲେ। ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନର ଅବିରତ ପ୍ରୟାସ ଏବଂ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ନୂଆପଡ଼ାର ଅଭିନବ ପଦକ୍ଷେପଗୁଡ଼ିକ ଏହି ସମୀକ୍ଷା ବୈଠକରେ ବିଶେଷ ଗୁରୁତ୍ୱ ଲାଭ କରିଥିଲା। ନୂଆପଡା ବି ଡି ଓ ଶ୍ରୀ ରୋହିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ସମ୍ବଳ ସଂଯୋଜକ ଶ୍ରୀ ଅନିଲ କୁମାର ଲେଙ୍କାଙ୍କ ଦ୍ୱାରା କରାଯାଇଥିଲା।