ଫୁଲବାଣୀ, ୦୯/୦୯ ( ବାଳକୃଷ୍ଣ କହଁର ) : ସ୍ବାଧିନତାର ୮୦ ବର୍ଷ ପରେ ମଧ୍ୟ ଗାଁ କୁ ଭଲ ରାସ୍ତା ନାହିଁ। କାଦୁଅ ପଚପଚ ରେ ଯାତାୟାତ କରି ଜୀବନ ବିତାଉଛନ୍ତି ଗ୍ରାମବାସୀ ଓ ହାଇସ୍କୁଲ ଛାତ୍ରଛାତ୍ରୀମାନେ। ବର୍ଷା ଦିନ ଅବସ୍ଥା ନ କହିବା ଭଲ। ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ମଧ୍ୟ ଏହି ରାସ୍ତାକୁ ଦେଖିଲେ ଭୟ କରନ୍ତି। ଆମ୍ବୁଲାନ୍ସ ବି ପହଞ୍ଚି ପାରେନି ଗ୍ରାମ ପର୍ଯ୍ୟନ୍ତ । ସବୁ ଜାଣି ନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି। ନିର୍ବାଚନ ସମୟରେ କେବଳ ଦେଖିବାକୁ ମିଳେ ନେତା ମାନଙ୍କର ଲମ୍ବା ଲମ୍ବା ପ୍ରତିଶ୍ରୁତି ହେଲେ ନିର୍ବାଚନ ପରେ ସବୁ ପ୍ରତିଶୃତି ପ୍ରତାରଣାରେ ପାଲଟିଯାଏ। ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ସଲାଗୁଡ଼ା ପଞ୍ଚାୟତ ଅଧିନରେ ଥିବା ୧୨ ନମ୍ବର ୱାର୍ଡ ର ମୁଣ୍ଡାସାହି ଛକ ଠାରୁ କୁମ୍ଭାରଖୋଲ ରାସ୍ତା ପର୍ଯ୍ୟନ୍ତ । ଦୀର୍ଘ ୩ କିଲୋମିଟର ଏହି ମାଟି ରାସ୍ତା ପାଇଁ ଲୋକଙ୍କ କଷ୍ଟ କହିଲେ ନସରେ। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ କିନ୍ତୁ ଏଥିପାଇଁ ନଜର ନଦେଇ ନିଘୋଡ଼ ନିଦରେ ଶୋଇ ପଡ଼ିଥିବା ଗ୍ରାମବାସୀ କହିଛନ୍ତି। ଏବେ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର। ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ କୁ ତ୍ୱରିତ ପଦକ୍ଷେପ ନେବାକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହେଲେ କୁମ୍ଭାରଖୋଲ ଗ୍ରାମବାସୀ ଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଏତେ ବୈମାତୃକ ମନୋଭାବ କଣ ପାଇଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଜିଲ୍ଲାପାଳ ଏହି ଘଟଣାରେ ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଗ୍ରାମବାସୀ ଙ୍କ ଦୀର୍ଘ ଦିନର ଥିବା ରାସ୍ତା ସମସ୍ୟା ସମାଧାନ କରିବାକୁ ଶ୍ରୀ ଜମ୍ବିରା କହଁର, ରଞ୍ଜିତ କହଁର, ଗଣପତି ଦିଗାଲ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
