ଚାଲାଣ କାଟିବାରେ AI ସ୍ମାର୍ଟ, ରାସ୍ତା ମରାମତିରେ କେବେ ଆସିବ ସ୍ମାର୍ଟନେସ୍?
କଟକ, ୧୧/୦୯ ( କାହୁଁ ଚରଣ ବାରିକ ) : ଏହି ଦୃଶ୍ୟକୁ ଟିକେ ଭଲ ଭାବେ ଦେଖନ୍ତୁ। ଏହା କୌଣସି ଗାଁ କିମ୍ବା ଗଳିକନ୍ଦିର ରାସ୍ତା ନୁହେଁ, ଏହା ହେଉଛି କଟକ ସହରର ରାସ୍ତା। ଚାରିପଟେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ ନଜର ରଖିବା ପାଇଁ କ୍ୟାମେରା ଲାଗିଥିବା ବେଳେ, ସହର ପ୍ରବେଶ ପଥରେ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଟ୍ରାଫିକ୍ ନିୟମ ଭାଙ୍ଗିଲେ ଚାଲାଣ କାଟିବା ପାଇଁ AI କ୍ୟାମେରା ୨୪ ଘଣ୍ଟା ସଜାଗ। ହେଲେ କଟକ ସହରକୁ ପ୍ରବେଶ କରୁଥିବା ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମା ଉପରେ ନଜର ପଡ଼ୁନାହିଁ କି? ରାସ୍ତାରେ ଖାଲଖମା ଯୋଗୁଁ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଉଥିବା ସାଧାରଣ ଲୋକଙ୍କୁ ଯଦି ସୁରକ୍ଷିତ ଓ ଚଳାଚଳ ଉପଯୋଗୀ ରାସ୍ତା ମିଳିବ ନାହିଁ, ତେବେ କେବଳ ଚାଲାଣ କାଟିବା ଦ୍ୱାରା ସଡ଼କ ସୁରକ୍ଷାର ଲକ୍ଷ୍ୟ କେତେଦୂର ପୂରଣ ହେବ, ତାହା ନେଇ ପ୍ରଶ୍ନ ଉଠିଛି। ନିଶ୍ଚିତ ଭାବେ ଟ୍ରାଫିକ୍ ନିୟମ ଭାଙ୍ଗିବା ଠିକ୍ ନୁହେଁ। କିନ୍ତୁ ନିୟମ ମାନି ରାସ୍ତାରେ ଚାଲୁଥିବା ନାଗରିକଙ୍କୁ ସୁରକ୍ଷିତ ରାସ୍ତା ଯୋଗାଇଦେବା ମଧ୍ୟ ସମ୍ପୃକ୍ତ ବିଭାଗ ଓ ପ୍ରଶାସନର ଦାୟିତ୍ୱ। ତେଣୁ ଚାଲାଣ କାଟିବାରେ AI ଯେତେ ସ୍ମାର୍ଟ, ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣରେ ସେହି ସ୍ମାର୍ଟନେସ୍ କେବେ ଦେଖିବାକୁ ମିଳିବ—ଏହା ଏବେ ସାଧାରଣ ଲୋକଙ୍କ ପ୍ରଶ୍ନ। ନିୟମ ଗୋଟିଏ ପଟେ, ନାଗରିକଙ୍କ ସୁରକ୍ଷା ଅନ୍ୟ ପଟେ। ଉଭୟ ଦିଗକୁ ସମାନ ଗୁରୁତ୍ୱ ଦେଇ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଦାବି ହେଉଛି।