ଆନନ୍ଦ ଏକାଡେମୀର ୩ ଛାତ୍ରଛାତ୍ରୀଙ୍କ କୃତିତ୍ୱ, OAV ICONIC ପାଇଁ ମନୋନୀତ
ନରସିଂହପୁର, ୨୦/୦୮ ( କାହୁଁ ଚରଣ ବାରିକ ) : ନରସିଂହପୁର ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଆନନ୍ଦ ଏକାଡେମୀ’ର ଛାତ୍ରଛାତ୍ରୀମାନେ ପୁଣିଥରେ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷର ଦଶମ ଶ୍ରେଣୀର ୩ ଜଣ ମେଧାବୀ ଛାତ୍ରଛାତ୍ରୀ ଓଡ଼ିଶାର ପ୍ରତିଷ୍ଠିତ OAV ICONIC ପାଇଁ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ଆନନ୍ଦ ଏକାଡେମୀର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେହେରା, ବିଶ୍ୱରୂପା ବେହେରା ଓ ସୁନୀଲ ମହାଳିକ OAV ICONIC ପାଇଁ ମନୋନୀତ ହୋଇ ଅନୁଷ୍ଠାନ ସମେତ ସମଗ୍ର ନରସିଂହପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅନୁଷ୍ଠାନର ଉତ୍ତମ ଶୈକ୍ଷିକ ପରିବେଶ, ଗୁଣାତ୍ମକ ଶିକ୍ଷା ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଲଗାତାର ତିନି ବର୍ଷ ଧରି ଆନନ୍ଦ ଏକାଡେମୀର ଛାତ୍ରଛାତ୍ରୀ OAV ICONIC ପାଇଁ ମନୋନୀତ ହୋଇଆସୁଛନ୍ତି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ୨୦୨୫ ମସିହାରେ ସାଇ ଭୂମିକା ପ୍ରିୟଦର୍ଶିନୀ ଓ ପ୍ରୀତି ପ୍ରଜ୍ଞା ପ୍ରିୟଦର୍ଶିନୀ ଏବଂ ୨୦୨୪ ମସିହାରେ ଶ୍ରୁସ୍ଥିଧାରା ସେଠୀ OAV ICONIC ପାଇଁ ମନୋନୀତ ହୋଇଥିଲେ। ଚଳିତ ବର୍ଷ ମନୋନୀତ ହୋଇଥିବା ୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନୁଷ୍ଠାନ ପକ୍ଷରୁ ଶୁଭକାମନା ଜଣାଯାଇଛି। ଆନନ୍ଦ ଏକାଡେମୀର ଏହି ସଫଳତା ନରସିଂହପୁର ଅଞ୍ଚଳର ଶିକ୍ଷା କ୍ଷେତ୍ର ପାଇଁ ନିଶ୍ଚିତ ଭାବେ ଏକ ଗୌରବର ବିଷୟ.