Hot Posts

6/recent/ticker-posts

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବେଳେ ରାଜନୈତିକ ତାତି; ଦୁଇ ବିଧାୟିକାଙ୍କୁ ନେଇ ବିବାଦ ଥାନାରେ

ଯାଜପୁର, ୧୭/୦୮ ( ପ୍ରଦୀପ କୁମାର ମଲ୍ଲିକ ) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା ବିପନ୍ନଙ୍କ ସମସ୍ୟା ବୁଝିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶରଥପୁର ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ବନ୍ୟା ବିପନ୍ନଙ୍କୁ ଭେଟିବା ପାଇଁ ଯାଉଥିବାବେଳେ ଦୁଇ ବିଧାୟିକାଙ୍କୁ ତାଙ୍କ ସହ ଯିବାକୁ ସୁଯୋଗ ଦିଆଯାଇନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ କେନ୍ଦ୍ର କରି ବିଜେପି ଓ ବିଜେଡି ମଧ୍ୟରେ ବିବାଦ ତୀବ୍ର ହୋଇଛି। ଘଟଣା ଏବେ ଦଶରଥପୁର ଥାନାରେ ପହଞ୍ଚିଛି।ଅଭିଯୋଗ ଅନୁଯାୟୀ, ଯାଜପୁର ବିଧାୟିକା ସୁଜାତା ସାହୁ ଦଶରଥପୁର ଥାନାରେ ପହଞ୍ଚି ଆଇଆଇସି ସୁବ୍ରତ ସାହୁଙ୍କ ନିକଟରେ ବିଜେପି କର୍ମୀ ଓ ନେତାମାନେ ଅସମ୍ମାନଜନକ ବ୍ୟବହାର କରିବା ସହ ଠେଲାପେଲା କରିଥିବା ନେଇ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ଜିଲ୍ଲାପାଳ ଅମ୍ବର କୁମାର କର ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ଏବଂ ଯାଜପୁର ବିଧାୟିକା ସୁଜାତା ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଯୋଗଦେଇ ବନ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। ଉଭୟ ବିଧାୟିକା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ।ତେବେ ତରପଦା ପଞ୍ଚାୟତର ପତିରି ଗ୍ରାମରୁ ପାୱାର ବୋଟ୍‌ ଯୋଗେ କସାପା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଉଭୟ ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଯିବାକୁ ଜିଲ୍ଲାପାଳ ସୁଯୋଗ ଦେଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦୁଇ ବିଜେଡି ବିଧାୟିକା ଅସନ୍ତୋଷ ବ୍ୟକ୍ତ କରି କାଟିଆ-ବୈଶାପନ ମୁଖ୍ୟ ରାସ୍ତା ଉପରେ ଧାରଣାରେ ବସିଥିଲେ।ଏହାକୁ କେନ୍ଦ୍ର କରି ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ସହ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣରେ ପୁଲିସ ପକ୍ଷରୁ ଉଦ୍ୟମ ହୋଇଥିଲେ ମଧ୍ୟ ଉତ୍ତେଜନା ଦେଖାଦେଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଯାଜପୁର ବିଧାୟିକା ସୁଜାତା ସାହୁ ଓ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଦଶରଥପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶରଥପୁର ବନ୍ୟାଞ୍ଚଳରେ ପହଞ୍ଚିଥିଲେ। ତରପଦା ପଞ୍ଚାୟତର ପତିରିଠାରୁ ପ୍ରଶାସନ ପକ୍ଷରୁ ଆୟୋଜିତ ୮ଟି ପାୱାର ବୋଟ୍‌ ସହାୟତାରେ ସେ କସାପା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ପହଞ୍ଚିଥିଲେ। ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ହିମାଂଶୁ ଶେଖର ସାହୁ, ଅମର ନାୟକ, ଆକାଶ ଦାସ ନାୟକ, ବିଜେପି ନେତା ଗୌତମ ରାୟ, ବବିତା ମଲିକ, ଜିଲ୍ଲାପାଳ ଅମ୍ବର କୁମାର କର ଓ ଏସ୍‌ପି ୟସ ପ୍ରତାପ ଶ୍ରୀମଲ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରପୁର ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ଯୋଗୁଁ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ। ଆଗାମୀ ବର୍ଷ ଯେପରି ଦଶରଥପୁର ବ୍ଲକରେ ପୁନର୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲେ।