Hot Posts

6/recent/ticker-posts

କୋଚିଆ ମଦ ବେପାରକୁ ନେଇ ବଢୁଛି ଅସନ୍ତୋଷ, ଏମଆରପିଠାରୁ ଅଧିକ ଦରରେ ବିକ୍ରି ଅଭିଯୋଗ

ଝରିଗାଁ, ୨୫/୦୮ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ ଥିବା ଦୁଇଟି ବିଦେଶୀ ମଦ ଦୋକାନ ମଧ୍ୟରେ ଗୋଟିଏ ରହିଛି ନୂତନ ଠିପି ବନ୍ଦ ମଦ ଦୋକାନ ଅନ୍ୟ ଗୋଟିଏ ରହିଛି ଠିପି ଖୋଲା କାବେରୀ ବାର । ଝରିଗାଁ ଡ଼ାବୁ ଗାଁ ମୁଖ୍ୟ ରାସ୍ତାରେ ରହିଛି ବାର ଏବଂ ଝରିଗାଁ ଉମରକୋଟ ମୁଖ୍ୟ ରାସ୍ତାରେ ରହିଛି ଠିପି ଖୋଲା ମଦ ଦୋକାନ। ଉଭୟ ବିଦେଶୀ ମଦ ଦୋକାନରେ ନିର୍ଦ୍ଧାରିତ ଏମଆରପି (MRP) ଠାରୁ ଅଧିକ ଦରରେ ମଦ ବିକ୍ରି କରାଯାଉଥିବା ନେଇ ଗ୍ରାହକମାନଙ୍କ ପକ୍ଷରୁ ଅଭିଯୋଗ ଉଠିଛି। ଏନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ଦାବି ହେଉଛି। ଗ୍ରାହକଙ୍କ ପ୍ରଶ୍ନ ହେଉଛି, ଯଦି କୌଣସି ମଦ ବୋତଲରେ ନିର୍ଦ୍ଧାରିତ MRP ଠାରୁ ଅଧିକ ଦରରେ ବିକ୍ରି କରାଯାଉଛି, ତେବେ ଏହି ଅତିରିକ୍ତ ଟଙ୍କା କେଉଁଠାକୁ ଯାଉଛି? ପୁଣି ବ୍ଲକର ପ୍ରତ୍ୟେକ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ଥାନୀୟ ବେପାରୀ ନିକଟକୁ ବିଦେଶୀ ମଦ ଯୋଗାଣ କରୁଛନ୍ତି ଉଭୟ ଦୋକାନୀ।
ଦୁଇ ଦୋକାନ ଜଣେ ମାଲିକ ବିଶାଲ ପ୍ରସାଦ ଜୟସ୍ବାଲ ଙ୍କ ନାମରେ ଲାଇସେନ୍ସ ଥିବାବେଳେ ବେଧଡକ ବ୍ଲକର ବିଭିନ୍ନ ଅଞ୍ଚଳକୁ ମଦ ଯୋଗାଣ ହେଉଛି।ଏହା ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପଟେ ଝରିଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶତାଧିକ ବେଆଇନ ଭାବେ ମଦ ବିକ୍ରି ହେଉଥିବା କୋଚିଆ ଦୋକାନ ଥିବା ଅଭିଯୋଗ ହେଉଛି। କେଉଁଠି ପାନ ଦୋକାନରେ ତ ଆଉ କେଉଁଠି କିରାଣା ଦୋକାନରେ ମଦ ବିକ୍ରି ହେଉଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହାର ପ୍ରଭାବ ଯୁବପିଢ଼ି ଓ ସାମାଜିକ ପରିବେଶ ଉପରେ ପଡ଼ୁଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଅଳ୍ପ ବୟସର ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ମଦ୍ୟପାନ କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା କ’ଣ? ଝରିଗାଁରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକରେ MRP ଅନୁଯାୟୀ ବିକ୍ରି ହେଉଛି କି? ଏବଂ ଅଭିଯୋଗ ହେଉଥିବା କୋଚିଆ ମଦ ବିକ୍ରି ବିରୋଧରେ ଅବକାରୀ ବିଭାଗ କେତେ ତତ୍ପରଏସବୁର ଉତ୍ତର ଏବେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସ୍ଥାନୀୟ ଲୋକଙ୍କ ଦାବି, ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ଅଭିଯୋଗଗୁଡ଼ିକର ନିରପେକ୍ଷ ଯାଞ୍ଚ କରାଯାଇ ଯଦି ନିୟମ ଉଲ୍ଲଂଘନ ହୋଇଥାଏ, ତେବେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଲାଇସେନ୍ସ ପ୍ରାପ୍ତ ଦୋକାନ ଖୋଲି ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି।ଦୈନଦିନ ମଦ ପାନ କରୁଥିବା ଗ୍ରାହକ ମଦ ର ମାନ ଉପରେ ପ୍ରଶ୍ନ କରୁଛନ୍ତି। ଏସମ୍ପର୍କରେ ଉମରକୋଟ ଅବକାରୀ ବିଭାଗ ଇନ୍ସପେକ୍ଟର ମଞ୍ଜୁ ଲତା ବାରିକ୍ ଙ୍କୁ ପଚାରିବାରୁ ଆଜି ହିଁ ଝରିଗାଁ ଯାଇ ଏହାର ତଦନ୍ତ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।