Hot Posts

6/recent/ticker-posts

ପେଣ୍ଡ୍ରା ଶିବ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ରାୟଗଡ଼ା, ୨୭/୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ବାଡ଼ିଲି ଥାନା ଅନ୍ତର୍ଗତ ପେଣ୍ଡ୍ରା ଶିବ ମନ୍ଦିରରୁ ଚୋରି ହୋଇଥିବା ଧାତୁ ମୂର୍ତ୍ତି ଓ ପୂଜା ସାମଗ୍ରୀ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୪ ଓ ୨୫ ତାରିଖ ମଧ୍ୟରାତ୍ରୀରେ ପେଣ୍ଡ୍ରା ଶିବ ମନ୍ଦିରର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ଭିତରେ ପଶିଥିଲେ। ମନ୍ଦିରରୁ ପ୍ରଭୁ ଶିବ ଓ ମା’ ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ହୋଇଥିଲା। ଏନେଇ ମନ୍ଦିର ପୂଜକ ବି.ଏନ୍. ନାଗରାଜୁ ବାଡ଼ିଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ନୂଆପଡ଼ାର ମନୋଜ ଦୁର୍ଗା ଓ ପବନ ଗଣ୍ଡା ଏବଂ ଅମ୍ଳାଗୁଡ଼ାର ଆଲୁ ହେରେକ୍ରୁଷ୍ଣଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ନିକଟରୁ ୧୩.୯୭ କିଲୋଗ୍ରାମ ଓଜନର ଶିବଙ୍କ ଧାତୁ ମୂର୍ତ୍ତି, ୨.୨୭ କିଲୋଗ୍ରାମ ଓଜନର ପାର୍ବତୀଙ୍କ ଧାତୁ ମୂର୍ତ୍ତି ଏବଂ ୪.୨୭ କିଲୋଗ୍ରାମ ଓଜନର ପିତ୍ତଳ ପଞ୍ଚମୁଖୀ ନାଗ ମୂର୍ତ୍ତି ଜବତ କରିଛି। ଏହାସହ ନଗଦ ୧,୨୪୦ ଟଙ୍କା, କିଛି ଭଙ୍ଗା ଚଢ଼ା ଓ ପିତ୍ତଳ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଚୋରିରେ ବ୍ୟବହୃତ ଏକ ଅଟୋ ଓ ଏକ ବାଇକ୍‌ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।