ପାଣି ଟାଙ୍କିରୁ ବାହାରିଲା ଗଞ୍ଜେଇ : ଗାଡ଼ି ସହ ୨୧୦କେଜି ଗଞ୍ଜେଇ ଜବତ : ୮ଜଣ ଗିରଫ
ଭଞ୍ଜନଗର, ୨୫/୦୮ ( ଜେ. କେ ପଟ୍ଟନାୟକ ) : କନ୍ଧମାଳ ଜିଲ୍ଲାରୁ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଅଧିକ ଲାଭ ଆଶାରେ ବହୁ ମାଫିଆ ଏହି ବ୍ୟବସାୟରେ ସାମିଲ ହୋଇ ଚୋରା ଗଞ୍ଜେଇକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଲାଗି ପଡିଛନ୍ତି।ଧରା ନପଡିବା ପାଇଁ ସେମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି।ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଅନେକ ସମୟରେ ନିଶା କାରବାର ରୋକିବାରେ ଅବକାରୀ ବିଭାଗ ଅପେକ୍ଷା ଆଗୁଆ ରହିଛି। ପୁଣିଥରେ ଅଭିନଵ ଉପାୟରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭଞ୍ଜନଗର ପୋଲିସକୁ ହାବୁଡ଼ରେ ପଡିଛନ୍ତି ମାଫିଆ।ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀ ଅନ୍ୟ ପୋଲିସ କର୍ମଚାରୀ ଡ଼ହ ବଙ୍ଗଳା ଠାରେ ଚେକିଂ କରୁଥିବା ସମୟରେ ଏକ ଟାଟା ଏସି ଗାଡ଼ିରେ ବୋଝେଇ ପାଣି ଟ୍ୟାଙ୍କ ଭିତରୁ ୨୧୦କେଜି ଗଞ୍ଜେଇ ଜବତ ହେବା ସହ ଉକ୍ତ ଗାଡିକୁ ସୁରକ୍ଷା ଦେଉଥିବା ଏକ ପଲସର ଗାଡିକୁ ମଧ୍ୟ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଆଠ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପନ୍ଦର ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ ଜାରି ରଖିଛି। ସେହି ଆଧାରରେ ପ୍ରତିଦିନ ବହୁ ପରିମାଣରେ ମାଦକ ଦ୍ରଵ୍ୟ ଜବତ ହେଉଛି।ଏସମ୍ପର୍କରେ ପ୍ରେସ ବିବୃତ୍ତିରେ ଭଞ୍ଜନଗର ଅତିରିକ୍ତ ଅରାକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା, ଏସଆଇ ସମୀର ସେଠୀ, ଏସଆଇ ଜ୍ୟୋସ୍ନା ସାହୁ, ଏଏସଆଇ ରୁଦ୍ର ପ୍ରସାଦ କହଁର ଓ ଅନ୍ୟମାନେ ଉପସ୍ଥିତ ଥିଲେ।