କଳାହାଣ୍ଡି, ୧୯/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଡହଗାଁ ପଞ୍ଚାୟତ ଅନ୍ତର୍ଗତ ସରସମାଲ ନୂଆବନ୍ଧପଡାକୁ ଯିବା ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥିତ ହୋଇ ପଡ଼ିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଗାଁ ପାଖକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଚାରିଚକିଆ ଗାଡ଼ି ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ବିଶେଷକରି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ନେବା ସମୟରେ ପରିବାର ଲୋକଙ୍କୁ ଭୋଗିବାକୁ ପଡ଼ୁଛି ଅସହ୍ୟ ଯନ୍ତ୍ରଣା। ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ରୋଗୀଙ୍କୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇବାକୁ ପଡ଼ୁଛି। ସେହିପରି ରାସ୍ତାର ଦୁରବସ୍ଥା ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରତିଦିନ ସ୍କୁଲ ଯିବା-ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନରେ ସମସ୍ୟା ଆହୁରି ଗୁରୁତର ହୋଇପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯିବା ସହ ବ୍ଲକ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ତେବେ ତୁରନ୍ତ ରାସ୍ତାର ମରାମତି କରି ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହନ ଗାଁ ପର୍ଯ୍ୟନ୍ତ ସୁଗମ ଭାବେ ଯାତାୟାତ କରିପାରିବା ଭଳି ବ୍ୟବସ୍ଥା କରିବାକୁ ଡହଗାଁ ପଞ୍ଚାୟତବାସୀ ଓ ନୂଆବନ୍ଧପଡା ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
