ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ବେଗୁନିଆ, ୨୯/୦୮ (ମାନସ ରଞ୍ଜନ କର): ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଭାତ କୁମାର ନିଶଙ୍କଙ୍କ ତତ୍ତ୍ୱାବଧାନ ଏବଂ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବାଳିକା ଦୌଡ଼, ବାଳକ ଖୋ-ଖୋ ଏବଂ କ୍ରିକେଟ ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବାଳିକା ଦୌଡ଼ ପ୍ରତିଯୋଗିତାରେ ନମିତା ବିଶ୍ୱାଳ ପ୍ରଥମ, ଶାଶ୍ୱତୀ ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ ଏବଂ ସୁଚିତ୍ରା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଓ ଶିକ୍ଷୟିତ୍ରୀ ଆଶା ମୁର୍ମୁ ବାଳକ ଖୋ-ଖୋ ପ୍ରତିଯୋଗିତାର କୃତୀ ଦଳ ଚୟନ କରିଥିଲେ। ଏଥିରେ ଅଷ୍ଟମ ଶ୍ରେଣୀ ଦଳ ଷଷ୍ଠ ଓ ସପ୍ତମ ଶ୍ରେଣୀର ମିଳିତ ଦଳକୁ ପରାସ୍ତ କରିଥିଲା। ସେହିପରି କ୍ରିକେଟ ପ୍ରତିଯୋଗିତାରେ ନବମ ଓ ଦଶମ ଶ୍ରେଣୀର ବାଳକ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ଶିକ୍ଷକ ଜ୍ଞାନରଞ୍ଜନ ମହାଳିକ ଓ ଶିକ୍ଷୟିତ୍ରୀ ମୋହିନୀକାନ୍ତି ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା। ମୁଖ୍ୟ ଅତିଥି ପୂର୍ଣ୍ଣଚନ୍ଦ୍ର ବେହେରା କ୍ରୀଡ଼ାର ଉପାଦେୟତା ଓ ଛାତ୍ରଛାତ୍ରୀଙ୍କ ଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ନିରାପତ୍ତା ସମ୍ପର୍କରେ ଶିକ୍ଷୟିତ୍ରୀ ସୁନିତା ପୃଷ୍ଟି ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ପରେ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ସନ୍ତୋଷ ଗୁମାନସିଂହ ଓ ବିଶ୍ୱରଞ୍ଜନ ପରିଡ଼ା ସହଯୋଗ କରିଥିଲେ।