ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ବିପର୍ଯ୍ୟସ୍ତ, ବିଭାଗୀୟ ନୀରବତା ପ୍ରଶ୍ନବାଚୀରେ
ବାଲେଶ୍ଵର, ୨୨/୦୮ ( ପ୍ରଭାକର ମଲ୍ଲିକ ) : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସରକାର ବିଭିନ୍ନ କଟକଣା ଓ ନିୟମ ପ୍ରଣୟନ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଦରଡ଼ା ଲଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମର ଖୋଲାଖୋଲି ଅମାନ୍ୟ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ କୋଡ୍ ଅନୁଯାୟୀ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀ ସକାଳ ୬:୩୦ ମିନିଟ୍ରେ ବିଦ୍ୟାଳୟ ପରିସରରେ ଉପସ୍ଥିତ ରହିବା ବାଧ୍ୟାତ୍ମକ। ମାତ୍ର ଏହି ନିୟମକୁ ଫୁ କରି ଉଡ଼ାଇ ଦେଇ କିଛି ଶିକ୍ଷକ ନିଜ ଇଚ୍ଛାମୁତାବକ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି।ସ୍କୁଲର ନିର୍ଦ୍ଧାରିତ ସମୟ ସାରଣୀ ଏବଂ ଶୃଙ୍ଖଳା ଭଙ୍ଗ ହେବାଫଳରେ ଏହାର ସିଧାସଳଖ ପ୍ରଭାବ ବିଦ୍ୟାଳୟର ପାଠପଢ଼ା ଏବଂ ଛାତ୍ରଛାତ୍ରୀଙ୍କ ଅନୁଶାସନ ଉପରେ ପଡ଼ୁଛି। ଏତେ ବଡ଼ ବ୍ୟତିକ୍ରମ ଏବଂ ଅବହେଳା ସତ୍ତ୍ୱେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ କିମ୍ବା କୌଣସି ଦାୟିତ୍ୱପୂର୍ଣ୍ଣ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି। ଯାହାକି ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ବିଦ୍ୟାଳୟରେ ଶିକ୍ଷକମାନେ ଯଦି ନିୟମିତ ଏବଂ ସମୟାନୁବର୍ତ୍ତୀ ନହେବେ, ତେବେ ଛାତ୍ରଛାତ୍ରୀମାନେ କ’ଣ ଶିକ୍ଷା ଗ୍ରହଣ କରିବେ? ଏଭଳି ବେପରୁଆ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷା ବିଭାଗ କେବେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହାକୁ ହିଁ ଅପେକ୍ଷା। ଏନେଇ ବିଇଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l(ଫଟୋ )
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l