Hot Posts

6/recent/ticker-posts

ବାଘ ଆକ୍ରମଣରେ ୪ ବର୍ଷର ଶିଶୁକନ୍ୟା ଗୁରୁତର, ଚିକିତ୍ସାଳୟରେ ଭର୍ତ୍ତି।

ମାଲକାନଗିରି, ୧୭/୦୮ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଞ୍ଚଳରେ ପ୍ରଥମ ଥର ପାଇଁ ବାଘ ଆକ୍ରମଣରେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। ସୂଚନା ଅନୁଯାୟୀ, ମାଥିଲି ବ୍ଲକ ଟେମୁରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଯନ୍ଦ୍ରାଗୁଡା ଗ୍ରାମର ବାପା ମୁକେ ମାଡକାମୀ ଓ ମା ଆଇତେ ମାଡକାମୀଙ୍କ ୪ ବର୍ଷର ଶିଶୁ କନ୍ୟା ସର୍ଜନୀ ମାଡକାମୀ। ସର୍ଜନୀର ବାପା କୌଣସି କାର୍ଯ୍ୟରେ ଘରେ ନଥିଲେ। ଶିଶୁ କନ୍ୟାଟି ଘରର ଦାଣ୍ଡରେ ଖେଳୁଥିବା ବେଳେ ମା ନିକଟସ୍ଥ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିଲେ। ସେହି ସମୟରେ ନିକଟରେ ଥିବା ଜଙ୍ଗଲରୁ ଏକ ଚିତା ବାଘଟି ଆସି ସର୍ଜନୀକୁ ଝାମ୍ପି ଜଙ୍ଗଲ ମଧ୍ୟକୁ ନେଉଥିଲା। ବାଘ ନେଉଥିବାରୁ ଶିଶୁ କନ୍ୟାଟି ଚିତ୍କାର କରି କାନ୍ଦିଥିଲା। ଶିଶୁ କନ୍ୟାର ଚିତ୍କାର କାନ୍ଦଣା ଶୁଣି ଗ୍ରାମବାସୀ ଜଙ୍ଗଲ ଆଡକୁ ଧାଇଁ ଯାଇଥିଲେ। ଗ୍ରାମବାସୀଙ୍କ ହୋ ହାହ୍ଲା ଶୁଣି ବାଘଟି ଭୟରେ ଶିଶୁକୁ ଛାଡି ଚାଲି ଯାଇଥିଲା। କିନ୍ତୁ ସେତେବେଳକୁ ଶିଶୁ କନ୍ୟାଟି ଗୁରୁତର ଆହତ ହୋଇ କାନ୍ଦୁଥିଲା। ଗ୍ରାମବାସୀ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ ତୁମ୍ବେଶ୍ୱର ସମରଥଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ସରପଞ୍ଚ ତୁରନ୍ତ ସ୍ଥାନୀୟ ବିଏସଏଫ କ୍ୟାମ୍ପ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ, ବିଏସଏଫ ଗାଡି ନଥିବାରୁ ୧୦୮କୁ ଯୋଗାଯୋଗ କରିଥିଲେ। ୧୦୮ ବି ନଥିଲା। ପରେ ଆରୋଗ୍ୟ ସେବା ଗାଡିକୁ ଫୋନ କରି ସେହି ଗାଡ଼ି ସାହାଯ୍ୟରେ ଶିଶୁ କନ୍ୟାକୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଶିଶୁ କନ୍ୟା ଚିକିତ୍ସାଳୟରେ ପହଁଚିବା ପରେ ଡାକ୍ତର ଚିକିତ୍ସା କରିଥିଲେ। ଏବଂ ଶିଶୁ କନ୍ୟା ଏବେ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ଓ ବିପଦ ମୁକ୍ତ ବୋଲି ଡାକ୍ତର ମାନେ କହିଛନ୍ତି। ପରିତାପର ବିଷୟ ଆମେ ଲେଖିବା ସମୟ ଭିତରେ କୌଣସି ବନ କର୍ମଚାରୀ ଚିକିତ୍ସାଳୟରେ ପହଞ୍ଚି ନଥିଲେ ଯାହା ଫଳରେ ଜନ ଅସନ୍ତୋଷ ଦେଖାଦେଇଛି।