ଓଏମପି ଛକରେ ରାତ୍ରିକାଳୀନ ଯାନବାହନ ଯାଞ୍ଚ
କଟକ, ୨୫/୦୮ ( କାହୁଁ ଚରଣ ବାରିକ ) : କଟକ ସହରରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ସହ ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାତ୍ରିକାଳୀନ ଯାନବାହନ ଯାଞ୍ଚକୁ ଜୋରଦାର କରାଯାଇଛି। ମଙ୍ଗଳବାର ରାତିରେ ବିଭିନ୍ନ ଥାନା ପୁଲିସ ଓ ଟ୍ରାଫିକ ପୁଲିସର ମିଳିତ ସହଯୋଗରେ ଓଏମପି ଛକଠାରେ ବ୍ୟାପକ ଯାନବାହନ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଉଥିବା ଚାଳକଙ୍କ ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିଥିଲା। ଏଥିସହ ଭାରୀଯାନଗୁଡ଼ିକର ଯାତାୟାତ ଏବଂ ଆବଶ୍ୟକ କାଗଜପତ୍ର ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା। ବିଶେଷକରି ଅମାନିଆ ଭାବେ ଗାଡ଼ି ଚଳାଇବା ଏବଂ ନିଶାସେବନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ପୁଲିସ ନଜର ରଖିଥିଲା। ଯାଞ୍ଚକୁ ସୁଚାରୁ ଭାବେ ପରିଚାଳନା ପାଇଁ ଓଏମପି ଛକରେ ବ୍ଲକିଂ ବ୍ୟବସ୍ଥା କରାଯାଇଥିଲା। ଯାଞ୍ଚ ବେଳେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଯାତାୟାତ କରୁଥିବା କେତେକ ଚାଳକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ଜରିମାନା କରାଯାଇଥିଲା। ସହରରେ ଦୁର୍ଘଟଣା ରୋକିବା, ଟ୍ରାଫିକ ନିୟମ ପାଳନ ସୁନିଶ୍ଚିତ କରିବା ଏବଂ ରାତିରେ ଅମାନିଆ ଯାନବାହନ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ଏଭଳି ଯାଞ୍ଚ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।