ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନ ଜୀବନ।ଜଳ ମଗ୍ନ ଚାଷଜମି, ଚିନ୍ତାରେ ଚାଷୀ କୁଳ। ଅଞ୍ଚଳ ପରିଦର୍ଶନ କରିଲେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର।
ବାଲେଶ୍ୱର, ୦୩/୦୮ ( ପ୍ରଭାକର ମଲ୍ଲିକ ) : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଜଳବନ୍ଦୀରୁ ଜନଜୀବନ ମୁକୁଳି ଥିଲେ ବି ସ୍ୱାଭାବିକ ହୋଇ ପାରିନି ଜୀବନ ଶୈଳୀ।ନୟନ ଯୋଡ଼ି ଅବରୋଧ, ଅଣଅସାରିଆ (ତ୍ରୁଟିପୂର୍ଣ୍ଣ) କଲଭାଟ, ମନମୁଖୀ ଭାବେ ଘର, ଘର ବାଡ଼ି, ରାସ୍ତା ନିର୍ମାଣ ଓ ପାଣି ନିଷ୍କାସନ ହେବାକୁ ଥିବା ନାଳ ଜବର ଦଖଲ ଓ ସ୍ଥାନେ ସ୍ଥାନେ ପୋତି ଦେଇଥିବାରୁ ପାଣି ନିଷ୍କାସନ ହୋଇ ପାରୁନାହିଁ । ଏବେବି ବସ୍ତା ବ୍ଲକ ନାବରା ପଞ୍ଚାୟତରେ ଉବୁଟୁବୁ ଚାଷ ଜମି। ତଳିଆ ଅଞ୍ଚଳର ଅନେକ ସ୍ଥାନରେ ଚାଷ ଜମି ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ, ସ୍ଥାନେ ସ୍ଥାନେ ଚାଷ ଜମି ଉପରେ ଦେଇ ପାଣି ପ୍ରଭାବିତ ହେଉଛି, ଧାନ ଗଛ ଏବେବି ଦେଖାଯାଉ ନାହିଁ, ପ୍ରାୟ ୫୦୦ ହେକ୍ଟର ଚାଷ ଜମି ଉପରେ ପାଣି ଜମି ରହିଛି। ଯାହା ପାଇଁ ଚାଷୀ କୁଳ ହତାସ ହୋଇ ପଡିଛନ୍ତି। ଅଭିଯୋଗ ପାଇ ଜଳେଶ୍ଵର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ବିଜେଡ଼ି ସାଂସଦ ପ୍ରାଥିନୀ ଲେଖାଶ୍ରୀ ସାମନ୍ତ ସିଂହାର, ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର କରୁଆ, ରଘୁନାଥପୁର, ସିଂଲା, ନାବରା ପଞ୍ଚାୟତର ବିଭିନ୍ନ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରିବା ସହିତ ନାବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଞ୍ଚ ନଗେନ୍ଦ୍ର କୁମାର ସିଂ, ସ୍ଥାନୀୟ ନେତୃ ମଣ୍ଡଳୀ, ୱାର୍ଡ ସଭ୍ୟ, ସଭ୍ୟା, ଅଞ୍ଚଳ ବାସୀ, ଚାଷୀ ସମୂହ ମିଳିତ ହୋଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରେମୁ ନିକଟରୁ ସିଂଲା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ନୟନ ଯୋଡ଼ିକୁ ଦଖଲ ମୁକ୍ତ କରି, ନବୀକରଣ ସହିତ ପ୍ରଶସ୍ତି କରଣ, ପାଣି ଜମି ରହୁଥିବା ସ୍ଥାନ ମାନଙ୍କରେ ନୂତନ ବ୍ରିଜ କିମ୍ବା କଳ୍ଭାଟ ନିର୍ମାଣ ସହିତ ଚାଷ କ୍ଷତି ପୂରଣ ପାଇଁ ଦାବି ପତ୍ର ଦେଇଥିଲେ। ତେବେ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି। ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ବସ୍ତା ତହସିଲ କାର୍ଯ୍ୟାଳୟରେ ତହସିଲଦାର, ପୂର୍ତ୍ତବିଭାଗ ଓ ଡ୍ରେନେଜ ବିଭାଗ ସହିତ ଅଧିକ ଆଲୋଚନା କରାଯାଇଛି, ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l