ବରୀ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ବରୀ, ୨୪/୦୮ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ, କିମ୍ଭିରିଆପାଳ, କଳାମାଟିଆ ପଂଚାୟତ ରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଲୋକ ଜଳବନ୍ଦୀ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବରୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। କଂଗ୍ରେସ ପ୍ରତିନିଧି ଦଳ ବନ୍ୟା ବିପନ୍ନ ପରିବାରମାନଙ୍କୁ ଭେଟି ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା ଓ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ। ବନ୍ୟା ପ୍ରପୀଡ଼ିତ ଙ୍କ ଏହି ଦୁର୍ଦ୍ଦିନ ସମୟରେ କଂଗ୍ରେସ ଦଳ ପକ୍ଷରୁ ପୀଡିତ ପରିବାରଗୁଡିକୁ ତୁରନ୍ତ ରିଲିଫ୍ ଆକାରରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ବରୀ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ଲୋକଙ୍କ ପାଖରେ ଛିଡ଼ା ହୋଇ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ମନୋଜ ଦାସ, ପିସିସି ମିଡିଆ ସେଲ୍ର ମାନସ ପରିଡ଼ା, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଉପେନ୍ଦ୍ର ସାମଲ, ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ସତ୍ୟ ପ୍ରକାଶ ଦାସ ପ୍ରମୁଖ ସାମିଲ ଥିଲେ। ଏହା ସହିତ କଂଗ୍ରେସ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଗିରିଜା ପ୍ରସାଦ ରାୟ, ବୁନୁ ବିଶ୍ଵାଳ ଏବଂ ପବିତ୍ର ବିଶ୍ଵାଳ ମଧ୍ୟ ଉପସ୍ଥିତ ରହି ବନ୍ୟା ପୀଡ଼ିତମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିଥିଲେ। କଂଗ୍ରେସ ନେତାମାନଙ୍କର ଏହି ପଦକ୍ଷେପକୁ ସ୍ଥାନୀୟ ବନ୍ୟା ବିପନ୍ନ ଲୋକମାନେ ପ୍ରଶଂସା କରିଛନ୍ତି।