Hot Posts

6/recent/ticker-posts

"ମଦ ମାଫିଆଙ୍କ ନିଦ ହଜାଇଲେ ମହିଳା: ଚାଲିଛି ଜୋରଦାର ଆନ୍ଦୋଳନ"

ଝରିଗାଁ, ୧୪/୦୮ (ନକୁଲ ଭତରା) : ମଦ ବିକ୍ରି ବନ୍ଦ କରିବା ଦାବିରେ ତାତିଛନ୍ତି ମହିଳା। ଝରିଗାଁ ବ୍ଲକ ଚକଳା ପଦର ପଞ୍ଚାୟତ ଅନ୍ତର୍ଗତ କଂଗ୍ରା ଗ୍ରାମରେ ମହିଳାମାନେ ମଦ ମୁକ୍ତ ଅଭିଯାନକୁ ଜୋରଦାର କରିଛନ୍ତି। ଶତାଧିକ ମହିଳା ଏକଜୁଟ ହୋଇ ଗ୍ରାମର ବିଭିନ୍ନ ଘରକୁ ଯାଇ ମହୁଲ ପଚ, ଦେଶୀ ଓ ବିଦେଶୀ ମଦ ସହ ପକେଟ୍‌ ମଦ ଜବତ କରି ଗାଁ ରାସ୍ତାରେ ନଷ୍ଟ କରିଥିଲେ। ସୂଚନା ଅନୁଯାୟୀ, ଗ୍ରାମରେ ମଦ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ଡାକି ବୈଠକ କରାଯାଇଥିଲା। ମଦ ବିକ୍ରି ବନ୍ଦ କରିବାକୁ ସେମାନଙ୍କୁ ୧୫ ଦିନ ସମୟ ଦିଆଯାଇଥିଲା। ହେଲେ ଧାର୍ଯ୍ୟ ସମୟ ଅତିକ୍ରମ କରିଥିଲେ ମଧ୍ୟ ମଦ ବିକ୍ରି ବନ୍ଦ ନହେବାରୁ ମହିଳାମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଅଭିଯାନରେ ଚାରିଟି ଗ୍ରାମର ମହିଳା ସାମିଲ ହୋଇଥିଲେ। ମହିଳାମାନଙ୍କ ଅଭିଯୋଗ ଅନୁସାରେ, ମଦ ଯୋଗୁଁ ଅନେକ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ପାରିବାରିକ ଗଣ୍ଡଗୋଳ ବଢ଼ୁଛି। ବିଶେଷକରି ପଞ୍ଚାୟତକୁ ଚାଉଳ ନେବାକୁ ଯାଇଥିବା କିଛି ଲୋକ ଫେରିବା ବାଟରେ ଚାଉଳ ବିକ୍ରି କରି ମଦ ପିଇ ଘରକୁ ଫେରୁଥିବା ଏବଂ ପରେ ସ୍ତ୍ରୀ ଓ ପରିବାର ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଛି। ପରିବାରର ପ୍ରତିପୋଷଣ ପାଇଁ ସରକାର ମାଗଣା ଚାଉଳ ଯୋଗାଇ ଦେଉଥିବା ବେଳେ ଏହାକୁ ବିକ୍ରି କରି ମଦ ପିଇବା ଘଟଣାକୁ ନେଇ ମହିଳାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାରଙ୍କ ମଦ ମୁକ୍ତ ଅଭିଯାନ ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଦ ବିକ୍ରି ଜାରି ରହିଥିବାରୁ ଏହାର ପ୍ରଭାବୀ ରୋକଥାମ ପାଇଁ ମହିଳାମାନେ ଦାବି କରିଛନ୍ତି। ଚକଳା ପଦର ପଞ୍ଚାୟତ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ନହେବା ପର୍ଯ୍ୟନ୍ତ ମଦ ମୁକ୍ତ ଅଭିଯାନ ଜାରି ରହିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।