କଟକ-ନରସିଂହପୁର ମୁଖ୍ୟ ରାସ୍ତା ପାଲଟିଛି ମୁକ୍ତାକାଶ ଗୁହାଳ ବୁଲା ଗୋରୁଗାଈଙ୍କ ପାଇଁ ବଢୁଛି ଦୁର୍ଘଟଣା; ଗୋଶାଳା ନିର୍ମାଣ ସହ ଥଇଥାନ ଦାବି
କଟକ, ୨୩/୦୮ ( କାହୁଁ ଚରଣ ବାରିକ ) : କଟକ-ନରସିଂହପୁର ମୁଖ୍ୟ ରାସ୍ତାରେ ବୁଲା ଗୋରୁଗାଈଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିଛି। ଫଳରେ ମୁଖ୍ୟ ରାସ୍ତା ଏବେ ଏକପ୍ରକାର ମୁକ୍ତାକାଶ ଗୁହାଳରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ରାସ୍ତା ଉପରେ ଗୋରୁଗାଈ ଶୋଇ ରହିବା ଓ ଘୁରାବୁଲା କରିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଥିରେ ଗାଡ଼ି ଚାଳକ ଓ ପଥଚାରୀ ଆହତ ହେବା ସହ ଗୋରୁଗାଈମାନେ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷକରି ପାଇକପଡ଼ା ପାଟଣା ହନୁମନ୍ତ ପୋଖରୀ ଭଜନ ମଣ୍ଡପଠାରୁ କ୍ଲବ ଛକ, ଶ୍ରୀରାମ ବଜାର ପର୍ଯ୍ୟନ୍ତ, ଜେଲ୍ ସମ୍ମୁଖରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଏବଂ ଥାନା ଛକଠାରୁ ବସଷ୍ଟାଣ୍ଡ, ନରସିଂହପୁର ମେଡିକାଲ ଓ ବନ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ବୁଲା ଗୋରୁଗାଈଙ୍କ ଉପଦ୍ରବ ଅଧିକ ଦେଖିବାକୁ ମିଳୁଛି। ସନ୍ଧ୍ୟା ସମୟରେ ଶହ ଶହ ଗୋରୁଗାଈ ମୁଖ୍ୟ ରାସ୍ତା ଉପରେ ଶୋଇ ରହୁଥିବାରୁ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି।